Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ସଚେତନ କରୁଛନ୍ତି ଅଧ୍ୟାପକ ତଥା ନାଟ୍ୟକାର ମନୋଜ ରଥ

ଭୁବନେଶ୍ୱର : ଲକ୍‌ଡାଉନ, ଅନେକ କ୍ଷେତ୍ରରେ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମ୍ପର୍କର ସେତୁ ବାନ୍ଧିଛି ଏହି ଲକ୍ ଡାଉନ । ସମସ୍ତେ ନିଜ ନିଜ କର୍ମବ୍ୟସ୍ତତା ମଧ୍ୟରେ ପାରିବାରିକ ସମ୍ପର୍କଠାରୁ ଦୂରେଇ ଯାଉଥିବା ବେଳେ ଯୋଡି ହୋଇଛନ୍ତି ଏହି ଲକ୍ ଡାଉନ ପାଇଁ । ପୂର୍ବରୁ କେହି ସମ୍ପର୍କୀୟଙ୍କ ନିକଟକୁ ଫୋନଟିଏ ବି କରିବା କଷ୍ଟକର ହୋଇପଡୁଥିବା ବେଳେ ଏବେ ଏଇ ସମ୍ପର୍କ ବଢିଛି । ସେପଟେ ଲକ୍ ଡାଉନ ଯୋଗୁଁ ପରିବାର ସଦସ୍ୟଙ୍କଠାରୁ ଦୂରେଇ ରହିଥିବା ବେଳେ କେଉଁଠାରେ ସମସ୍ତେ ଏକାଠି ହୋଇଛନ୍ତି । ତେବେ ଲକ୍ ଡାଉନ କାହା ପାଇଁ କେମିତି ଓ କିଏ କେମିତି ଏହି ସମୟକୁ ଅତିବାହିତ କରୁଛନ୍ତି ତାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍ ଡାଉନ ଡାଏରୀ ।

ଅଧ୍ୟାପକ ତଥା ନାଟ୍ୟକାର ମନୋଜ କୁମାର ରଥ । ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ସରକାରୀ କ୍ୱାଟରରେ ପରିବାର ସହ ଅଛନ୍ତି । ସାଧାରଣତଋ ଅନ୍ୟ ଦିନମାନଙ୍କରେ ପତ୍ନୀ ନିଜ କର୍ମସ୍ଥଳରେ ଓ ଦୁଇପୁଅ ଭୁବନେଶ୍ୱରରେ ରହି ପାଠ ପଢନ୍ତି । କିନ୍ତୁ ଏବେ ସମସ୍ତେ ଏକାଠି ଥିବାରୁ ସମସ୍ତେ ବେଶ୍ ଖୁସି ।

ଲକ୍ ଡାଉନକୁ ନେଇ ଅଧ୍ୟାପକ ମନୋଜ କହନ୍ତି ଯେ, ‘ମତେ କିଛି ସୃଜନଶୀଳ କାମରେ ପାଇଁ ଅଧିକ ସମୟ ମିଳିପାରିଛି । କିଛି ନୂଆ ନାଟକ ଲେଖୁଛି ଆଉ କିଛି ପୁରୁଣା ନାଟକର ପ୍ରକାଶନ ପାଇଁ ନିଜେ ଡିଟିପି ଇତ୍ୟାଦି କରୁଛି । କିଛି ପୁରୁଣା କବିତାକୁ ନେଇ ଶବ୍ଦର ଆଲ୍ ବମ୍ ନାମକ ଏକ ଭିଡିଓ ଆବୃତ୍ତି ସିରିଜ୍ ଆରମ୍ଭ କରିଛି । ’

କେବଳ ସେତିକି ନୁହେଁ କରୋନା ଭୟାବହତା ଓ ମାସ୍କର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ମନୋଜ । ପତ୍ନୀଙ୍କ ସହ ମିଶି ‘ମାସ୍କ୍ : ଏକ କବଚ’ ନାମକ କ୍ଷୁଦ୍ର ଫିଲ୍ମ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏହାଛଡା କିଛି ଭର୍ଚୁଆଲ୍ କବିତା ଆସର ଓ ନାଟକର ସେମିନାରରେ ଭାଗ ନେଇଥିବା ସେ କହିଛନ୍ତି ।

ଏସବୁ ବାଦ୍ ପରିବା ପତ୍ର କିଣି ଆଣିବା ପରେ ଧୋଇ ରଖିବା, ରୋଷେଇ ପାଇଁ ପରିବା ପତ୍ର କାଟି ଦେବାରେ ପତ୍ନୀଙ୍କୁ ସାହାଯ୍ୟ କରୁଛନ୍ତି । ଏହା ବ୍ୟତୀତ ସମୟ ପାଇଲେ ୟୁଟ୍ୟୁବରେ ହିନ୍ଦି ଇଂରାଜୀ ତଥା ଅନ୍ୟାନ୍ୟ ଭାଷାର କ୍ଲାସିକ୍ ମୁଭି ଦେଖିବାକୁ ଭଲ ପାଆନ୍ତି । ଘରେ ଥିବା ଓଡିଆ, ଇଂରାଜୀ ତଥା ହିନ୍ଦୀ ଭାଷାର ବହି ଓ ପତ୍ର ପତ୍ରିକା ପଢି ସମୟ କାଟିଥାନ୍ତି ।

ଜଣେ ଅଧ୍ୟାପକ ହିସାବରେ ଲକ୍ ଡାଉନ୍ ବେଳେ ଛାତ୍ରଛାତ୍ରୀଙ୍କ ପାଛପଢାରେ ବ୍ୟାଘାତ ହେଉଥିବାରୁ ବେଶ୍ ଚିନ୍ତିତ ସେ । ସେପଟେ ଦିନ ମଜୁରିଆ ଓ କଳା ପ୍ରଦର୍ଶନ କରି ପେଟ ପୋଷୁଥିବା କଳାକାର ତଥା ଦେଶର ଅର୍ଥନୀତି ପାଇଁ ଲକ୍ ଡାଉନ ଏକ ଅଭିସାପ ପାଲଟି ଯାଇଥିବା କହନ୍ତି ମନୋଜ ।

ମନୋଜ କହନ୍ତି, ‘ଜୀବନ ବଡ ସତ କିନ୍ତୁ ଜୀବିକା ବିନା ଜୀବନ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ।’

Leave A Reply

Your email address will not be published.