Latest Odisha News

BREAKING NEWS

ଲକ୍‌ଡାଉନ୍ ଡାଏରୀ: ରୋଷେଇ ଶିଖା, ପେଣ୍ଟିଂ ଓ ନୃତ୍ୟ ଅଭ୍ୟାସରେ କଟୁଛି ଚୁଲ୍‌ବୁଲି ଭୂମିକାଙ୍କ ଦିନ

ଭୁବନେଶ୍ୱର: ଲକ୍ ଡାଉନକୁ ଦୁଇ ସପ୍ତାହ ବିତିଲାଣି । ଲୋକେ ଘର ଭିତରେ ରହି ରହି ବିରକ୍ତ ହୋଇଗଲେଣି । ପିଲାଙ୍କ ପାଇଁ ସ୍କୁଲ କଲେଜ ମନା ସେପଟେ ଖେଳ ପଡିଆ ବି ମନା । ତେଣୁ ଘରେ ରହି ରହି ସମସ୍ତେ ଅଣନିଶ୍ୱାସୀ ପ୍ରାୟ । ତେବେ ଏସବୁ ଭିତରେ ବ୍ୟସ୍ତବହୁଳ ଜୀବନରେ କେବେ ବେଶୀ ସମୟ ଘରେ ରହିବାର ସୁଯୋଗ ପାଉ ନ ଥିବା ଅନେକ ଲୋକ ବର୍ତ୍ତମାନ ସମୟକୁ ବେଶ୍ ଉପଭୋଗ କରୁଛନ୍ତି ।

ଆଜି ଲକ୍ ଡାଉନ ଡାଏରୀରେ ଜାଣିବା ଅଭିନେତ୍ରୀ ଭୂମିକା ଦାଶଙ୍କ ଲକ୍‌ଡାଉନ୍ ରୁଟିନ୍ ସମ୍ପର୍କରେ । ପାଠପଢା ସହ ଅଭିନୟକୁ କ୍ୟାରିଅର କରିଥିବା ଭୂମିକାଙ୍କର କେମିତି କଟୁଛି ଲକ୍‌ଡାଉନ ଟାଇମ୍ ।

 

ଏହି ୧୭ ବର୍ଷୀୟ ଅଭିନେତ୍ରୀ ଫିଟ୍ ଆଣ୍ଡ ହେଲ୍‌ଦି ରହିବା ଉପରେ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତି । ତେଣୁ ସକାଳୁ ନିୟମିତ ଘଣ୍ଟାଏ ବ୍ୟାୟାମ ଓ ସନ୍ଧ୍ୟାରେ ଅଧଘଣ୍ଟା ଯୋଗ କରିଥାନ୍ତି ।

ପିଲାଦିନେ ଡ୍ରଇଁ ଓ ପେଣ୍ଟିଂ କରିବା, ବହି ପଢିବାରେ ରୁଚି ରଖୁଥିବା ଭୂମିକା ଲକ୍‌ଡାଉନ ବେଳେ ପୁଣି ସେଗୁଡିକ ଆରମ୍ଭ କରିଦେଇଛନ୍ତି ।

ଲକ୍‌ଡାଉନ୍ ସମୟରେ ନିଜର ଦିନଚର୍ଯ୍ୟାକୁ ନେଇ ନେଇ ଭୂମିକା ଅନେକ କିଛି କହିଛନ୍ତି । ପୂର୍ବରୁ ରୋଷେଇ ଓ ଘର ସଫା କରିବା ପାଇଁ ସେ ସମୟ ପାଉ ନ ଥିଲେ । କିନ୍ତୁ ଲକ୍ ଡାଉନ ବେଳେ ସେ ଏଗୁଡିକ ଶିଖୁଛନ୍ତି । ଏ ଭିତରେ ସେ ଚା, କୋଲ୍ଡ କଫି, ରୁଟି ସହିତ କାକରା ପିଠା ଏବଂ ଏବେ ଟ୍ରେଣ୍ଡ୍‌ରେ ଥିବା ଡାଲ୍‌ଗୋନା କଫି ତିଆରି ଶିଖି ଗଲେଣି ବୋଲି କହିଛନ୍ତି ।

ସୋସିଆଲ ମିଡିଆରେ ସେ ଘର ତିଆରି ଫେସ୍ ପ୍ୟାକ୍ ସମ୍ପର୍କରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଉଛନ୍ତି । କମଳା ଚୋପା, କଫି ଓ ଘିଁକୁଆରୀ ବା ଆଲୁଭେରା ସହ ଭିଟାମିନ-ଇ କ୍ୟାପ୍‌ସୁଲ ବ୍ୟବହାର କରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଫେସ୍‌ବୁକରେ ସେୟାର କରୁଛନ୍ତି । ଏହାକୁ ତାଙ୍କ ଫ୍ୟାନ୍ ଓ ସାଧାରଣ ଲୋକେ ବେଶ୍ ପସନ୍ଦ କରୁଥିବା ସେ କହିଛନ୍ତି ।

ନୃତ୍ୟ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ଏବେ ସେ ସବୁଦିନ ଓଡିଶୀ ନୃତ୍ୟ ଅଭ୍ୟାସ କରୁଛନ୍ତି । ପ୍ରତିଦିନ ପେଣ୍ଟିଂ କରୁଛନ୍ତି । ଏଥିସହିତ ସାନ ଭାଇ ସହ ଲୁଡୋ, କ୍ୟାରମ ମଧ୍ୟ ଖେଳୁଛନ୍ତି ।

ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି କହନ୍ତି ଭୂମିକା । ଏହା ନ ହେଲେ ସେମାନଙ୍କର ମାନସିକ ଚାପ ବଢିବାର ସମ୍ଭାବନା ରହିଛି ବୋଲି ସେ ମତ ଦେଇଛନ୍ତି ।

ଏହି ସମୟରେ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ଓ ସମ୍ବେଦନଶୀଳ ମନୋଭାବ ପୋଷଣ କଲେ ସମସ୍ତେ ଖୁସିରେ ରହିପାରବେ ବୋଲି ସେ କହିଛନ୍ତି । ଏବେ ସମୟ ମିଳୁଥିବାରୁ ସଭିଏଁ ନିଜ ନିଜର ହବି ବା ରୁଚିକୁ ଆଗକୁ ବଢାଇବା ଆବଶ୍ୟକ ଯାହାଦ୍ୱାରା ଅଯଥା ଚାପ ଓ ଏକୁଟିଆପଣ ଦୂର ହୋଇପାରିବ ବୋଲି କହଛନ୍ତି ଭୂମିକା ।

Leave A Reply

Your email address will not be published.