ଭୁବନେଶ୍ୱର : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଚାଲିଥିବା ବେଳେ କେତେକ ସ୍ଥାନରେ ଯାତାୟତ ଓ ଦୋକାନ ବଜାର ଖୋଲିବା ନେଇ କିଛିଟା କୋହଳ ହେଲାଣି । ତଥାପି ଜୀବନାଯାତ୍ରା ସ୍ୱାଭାବିକ ହୋଇନାହିଁ । ତେବେ ଏହି ଲକ୍ ଡାଉନ ସମୟରେ କିଏ କେମିତି ସମୟ କାଟୁଛନ୍ତି ତାହା ଜାଣିବା ପାଇଁ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍ ଡାଉନ ଡାଏରୀରେ ।
ଆଜି ଜାଣିବା ଭୁବନେଶ୍ୱରର ଡିଜାଇନର ଜ୍ୟୋତ୍ସା ଦାସ କେମିତି କାଟୁଛନ୍ତି ତାଙ୍କ ଲକ୍ ଡାଉନ ସମୟ । ଜ୍ୟୋତ୍ସାଙ୍କ କହିବାକଥା କରୋନା ମହାମାରୀ ଖାଲି ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ତା ତାଙ୍କ ଭଳି କ୍ଷୁଦ୍ର ଉଦ୍ୟୋଗୀଙ୍କ ଭବିଷ୍ୟତ ନେଇ ଚିନ୍ତା ବଢିଯାଇଛି ।
ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ନିଜ ବ୍ୟବସାୟ ଓ କର୍ମଚାରୀଙ୍କ କଥା ଚିନ୍ତା କରି ବ୍ୟସ୍ତ ଲାଗୁଥିବାରୁ ଜ୍ୟୋତ୍ସା ନିଜକୁ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରଖୁଛନ୍ତି ବୋଲି କହିଛନ୍ତି ।
ଜଣେ ଫ୍ୟାଶନ ଡିଜାଇନର ତଥା ଉଦ୍ୟୋଗୀ ହୋଇଥିଲେ ସୁଦ୍ଧା ପ୍ରତିଦିନ ଘରେ ପିଲାଙ୍କ କଥା ବୁଝିବା ଭିତରେ ନିଜ ପାଇଁ ସେତେଟା ସମୟ ମିଳୁ ନ ଥିଲା ।
ଜ୍ୟୋତ୍ସାଙ୍କ କହନ୍ତି, ‘ମୁଁ ପ୍ରକୃତିକୁ ବହୁତ ଭଲ ପାଏ । ତେଣୁ ଏହି ଲକଡାଉନ ସମୟରେ ମୁଁ ଘରେ ବିଭିନ୍ନ ପ୍ରକାର ଇନଡୋର ପ୍ଲାଣ୍ଟ ସଜାଇଛି । ଏପରିକି ବଗିଚାରେ ପ୍ରତିଦିନ କିଛି ସମୟ କାଟୁଛି । ’
ସବୁବେଳେ କାମ ବ୍ୟସ୍ତତା ଭିତରେ ରହୁଥିବା ସେ ଲେଖୁଥିବା କବିତାରୁ ଦୂରେଇ ଯାଇଥିଲେ । ଏହି ଲକ୍ଡାଉନ ଭିତରେ ସେ ପୁଣି ଲେଖିବା ଆରମ୍ଭ କରିଛନ୍ତି । ଫେସ୍ବୁକ୍ ଓ ଇନଷ୍ଟାଗ୍ରାମରେ ସେ କିଛି କବିତା ପୋଷ୍ଟ କରିବା ପରେ ପ୍ରଶଂସା ପାଇଥିବା କହିଛନ୍ତି ।
ବହି ପଢିବାକୁ ଓ ନୂଆ ନୂଆ ଡିଜାଇନ ତିଆରି କରିବାକୁ ଭଲ ପାଉଥିବା ଜ୍ୟୋତ୍ସା ଠାକୁର ପୂଜା ବି କରି ଆତ୍ମସନ୍ତୋଷ ପାଆନ୍ତି । ସବୁ ବେଳେ ଧାଁ ଦୌଡରେ ଠାକୁର ଘରେ ପୂଜା କରିବାର ଅବସର କମ ମିଳୁ ଥିବା ବେଳେ ଏବେ ଏସବୁ କରିବାର ସୁଯୋଗ ମିଳୁଛି । ଠାକୁରଙ୍କ ଧ୍ୟାନ କରିବା ଦ୍ୱାରା ଅନ୍ତର୍ନିହିତ ଶକ୍ତି ମିଳିଥାଏ ବୋଲି ସେ କହିଛନ୍ତି ।
ତେବେ ଏସବୁ ଭିତରେ ସେ ସବୁଠୁ ବେଶୀ ଖୁସି ଯେ ତାଙ୍କୁ ତାଙ୍କ ଝିଅ ସହ ସମୟ ବିତାଇବାକୁ ସୁଯୋଗ ମିଳିଛି । ସବୁବେଳେ ଝିଅର ଅଭିଯୋଗ ଥାଏ ଯେ ତା ସହ ସମୟ ଦେଉନି ବୋଲି । ଏବେ ଆମ ଦୁଇ ଜଣ ସାଙ୍ଗ ହୋଇ ବିଭିନ୍ନ ପ୍ରକାର ରୋଷେଇ କରୁଛୁ ।
ଏବେ ଭବିଷ୍ୟତ କଣ ହେବ ତାହା ଅନିଶ୍ଚିତତା ଘେରରେ । ତେବେ ଯାହା ଆସିବ ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଜ୍ୟୋତ୍ସା ।
Comments are closed.