Latest Odisha News

BREAKING NEWS

ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ମହାପ୍ରଭୁଙ୍କ ରଥକାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୧ମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ଜଙ୍ଗଲରୁ ଟ୍ରକରେ ବୋଝେଇ ହୋଇ ପୁରୀରେ ପହଞ୍ଚିଛି ।

ମିଳିଥିବା ସୂଚନାନୁଯାୟୀ, ୩ଟି ଟ୍ରକରେ ସୋମବାର ସନ୍ଧ୍ୟାରେ ମୋଟ ୯୦ ଖଣ୍ଡ କାଠ ଦଶପଲ୍ଲା ବନାଞ୍ଚଳରୁ ପୁରୀରେ ଆସି ପହଞ୍ଚିଛି । ଦଶପଲ୍ଲା ବନଖଣ୍ଡର ଚଢେୟାପଲ୍ଲୀ ଏବଂ ବାଣିଗୋଚ୍ଛା ସେକ୍ସନରୁ ଅସନ ଓ ଧଉରା କାଠ ବୋଝେଇ ହୋଇ ଆସିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଦଶପଲ୍ଲା ବନଖଣ୍ଡର ରେଞ୍ଜ ଅଫିସର ସୋମନାଥ ନାୟକ କହିଛନ୍ତି, ଏହି ୯୦ ଖଣ୍ଡ କାଠ ମଧ୍ୟରେ ୨୦ ଓ ୧୨ ଫୁଟର ୫୭ ଖଣ୍ଡ ଅସନ ଓ ଧଉରା ୨ଟି ଟ୍ରକ ଯୋଗେ ରଥଖଳାକୁ ପଠାଯିବାର ସ୍ଥିର ହୋଇଛି । ତେବେ ୧୨ ଫୁଟର ୩୩ ଖଣ୍ଡ ଧଉରା କାଠ କଟକସ୍ଥ ଶ’ମିଲ୍ କୁ ପଠାଇ କଟାଯିବାର ବ୍ୟବସ୍ଥା ହୋଇଥିବା କଥା ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି ।

ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ଦଶପଲ୍ଲା ଜଙ୍ଗଲରୁ କାଠ ଆସିଥାଏ ।

ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀତି ମାଘ ମାସ ଅର୍ଥାତ୍ ଫେବୃଆରୀ ମାସରୁ ହିଁ ଆରମ୍ଭ ହୋଇଥାଏ । ଜଙ୍ଗଲରୁ କାଠ ଅଣାଯାଇ ବଡ଼ଦାଣ୍ଡର ରଥଖଳାରେ ପବିତ୍ର ଅକ୍ଷୟ ତୃତୀୟାରୁ ପୂଜା ହୋଇ କାଠ କଟା କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହାପରେ ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକଙ୍କ ନିର୍ଦ୍ଦେଶାନୁସାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।

Leave A Reply

Your email address will not be published.