ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ଆୟକର ବିଲ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ନୂଆ ଆୟକର ବିଲ୍ ଉପସ୍ଥାପନା ପରେ ପରେ ଲୋକସଭାକୁ ମୁଲତବୀ ରଖାଯାଇଛି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଲୋକସଭା ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା ।
ଏହାକୁ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଆଜି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ମୁଁ ଖୁସି ଯେ ଅଧିବେଶନ ସମୟରେ ଆମେ ଏକ ଭଲ ପରିବେଶ ମଧ୍ୟରେ ଆଲୋଚନା କଲୁ ଏବଂ ମୋତେ ଆପଣଙ୍କର ପୂର୍ଣ୍ଣ ସମର୍ଥନ ମିଳିଲା । ଆଜି ବଜେଟର ପ୍ରଥମ ଭାଗ ଶେଷ ହୋଇଥିବାରୁ, ଏହାର ଦ୍ବିତୀୟ ଭାଗ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଉଛି ।
ଅନ୍ୟପଟେ ଆଜି ନୂଆ ଆୟକର ବିଲ୍ ଆଗତ ହୋଇଥିବା ବେଳେ ୱାକର୍ଫ ବୋର୍ଡ ବିଲକୁ ନେଇ ଗଠିତ ହୋଇଥିବା ଜେପିସି ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲ ମଧ୍ୟ ଲୋକସଭାରେ କମିଟି ରିପୋର୍ଟ ଉପସ୍ଥାପନ କରିଥିଲେ । ହେଲେ ଏହି କମିଟି ରିପୋର୍ଟକୁ କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ବିରୋଧ କରିବା ସହ ଗୃହରେ ହୋହାଲ୍ଲା ଆରମ୍ଭ କରିଥିଲେ । କମିଟିରେ ଥିବା ବିରୋଧୀଦଳର ସାଂସଦମାନେ ବୋର୍ଡକୁ ନେଇ ଯେଉଁ ପରାମର୍ଶ ଦେଇଥିଲେ ତାହା ଏହି ରିପୋର୍ଟରେ ସ୍ଥାନ ପାଇନାହିଁ ବୋଲି ଅଭିଯୋଗ କରି ହଙ୍ଗାମା କରିଥିଲେ ବିରୋଧୀ ଦଳ ସାଂସଦ । ତେଣୁ ଏହି ରିପୋର୍ଟକୁ ପୁଣି ଥରେ କମିଟି ନିକଟକୁ ଫେରାଇ ଦିଆଯାଉ ବୋଲି ଦାବି କରିଛନ୍ତି ବିରୋଧୀ ସାଂସଦ ।
Comments are closed.