Latest Odisha News

BREAKING NEWS

ଲୋକାୟୁକ୍ତ ଏପ୍ରିଲ ୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ: ଏବର୍ଷ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବା ନେଇ ସୋମବାର ଦିନ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଓଡ଼ିଶା ସରକାର ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ ଜଣିଆ ଖଣ୍ଡପୀଠର ଏକ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏହା ଆସନ୍ତା ଏପ୍ରିଲ ୮ ତାରିଖରୁ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଏହି ସତ୍ୟପାଠରେ ଲୋକାୟୁକ୍ତ ନିଯୁକ୍ତି ନେଇ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଥମେ ୨୦୧୪ ମସିହା ଫେବୃଆରୀ ୧୪ ତାରିଖରେ ରାଜ୍ୟ ବିଧାନସଭାରେ ଲୋକାୟୁକ୍ତ ନିଯୁକ୍ତି ବିଲ୍ ପାସ୍ କରିଥିଲେ । ଏହି ଲୋକାୟୁକ୍ତ ବିଲଟିକୁ ଅନୁମୋଦନ ଲାଗି ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ପକ୍ଷରୁ ପଠାଯାଇଥିଲା । ରାଷ୍ଟ୍ରପତି ଏହି ବିଲଟିକୁ ୨୦୧୪ ଡ଼ିସେମ୍ବର ମାସରେ ଅନୁମୋଦନ ମଧ୍ୟ କରିଥିଲେ । ତେବେ ରାଷ୍ଟ୍ରପତି ଦୀର୍ଘ ୪ ବର୍ଷ ହେଲା ଏହି ବିଲକୁ ଅନୁମୋଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ ହୋଇନାହାନ୍ତି । ତେବେ ଗତବର୍ଷ ଜୁଲାଇ ୧୦ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୧୦ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବାକୁ ନିର୍ଦ୍ଦେଶ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଗତବର୍ଷ ଡ଼ିସେମ୍ବର ମାସରେ ଏକ ୭ ଜଣିଆ ଲୋକାୟୁକ୍ତ ସର୍ଚ୍ଚ କମିଟି ଗଠନ କରିଥିଲେ ।

ଏହି ୭ ଜଣିଆ କମିଟିର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାଭେରୀ, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ, ରାଜ୍ୟ ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ ଏବଂ ବିଧାନସଭାର ବିରୋଧୀ ଦଳର ନେତା ନରସିଂହ ମିଶ୍ର ଚୟନ କରିଥିଲେ ।

ଏହି କମିଟି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅମିତାଭ ରାୟ, ପୂର୍ବତନ ଆଇଏଏସ ଅଧିକାରୀ ସଞ୍ଜିବ ହୋତା, ପୂର୍ବତନ ଓଡ଼ିଶା ଡ଼ିଜିପି ଗୋପାଳ ନନ୍ଦ, ପୂର୍ବତନ ଆଇଏଏସ ଅଧିକାରୀ ଆର ଏନ ବହିଦାର, ଡ଼ଃ ବିଧୁଭୂଷଣ ସାମଲ, ଏକ୍ସଆଇଏମବିର ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ ଏବଂ ବେଙ୍ଗାଲୁରୁସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଭେଙ୍କଟରାଓ ରାମଭଟ୍ଟଲା ଏହି କମିଟିର ସଦସ୍ୟ ରହିଛନ୍ତି ।

ଲୋକାୟୁକ୍ତ ପଦବୀର ନିଯୁକ୍ତି ଲାଗି ସର୍ଚ୍ଚ କମିଟି ୫ ଜଣ ସଦସ୍ୟଙ୍କୁ ଏହି ୧୫ ଜଣ ସଦସ୍ୟଙ୍କ ଲାଗି ଜାନୁଆରୀ ଶେଷସୁଦ୍ଦା ଚୟନ କରିବା କଥା ଥିଲା । ଲୋକାୟୁକ୍ତ ଅଧ୍ୟକ୍ଷ ପଦବୀ ସହିତ ଲୋକାୟୁକ୍ତର ୬ ଜଣିଆ କମିଟିରେ ଅନ୍ତଭୃକ୍ତ କରିବାକୁ ଫେବୃଆରୀରେ ବୈଠକ ଅନୁଷ୍ଠିତ ହେବ ।

Leave A Reply

Your email address will not be published.