Latest Odisha News

BREAKING NEWS

ବହୁ ପ୍ରତୀକ୍ଷାର ଅ’ନ୍ତ ଘଟିଲା: ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତ

ପୁରୀ: ସମ୍ବିଧାନରେ ଜମ୍ମୁ ଓ କାଶ୍ମୀର ଲାଗି ରହିଥିବା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ଅନେକ ଦିନର ପ୍ରତୀକ୍ଷାର ପରିଶେଷରେ ପରିସମାପ୍ତି ଘଟିଲା । ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ଦ୍ୱାରା ଏହି ପ୍ରସଙ୍ଗକୁ ନେଇ ଏକ ପ୍ରସ୍ତାବ ପାର୍ଲ୍ଲାମେଣ୍ଟରେ ଆଜି ଆଗତ କରାଯାଇଛି । ଏହି ପ୍ରସ୍ତାବକୁ ପୁରୀ ଶଙ୍କରାଚାର୍ଯ୍ୟ ସମର୍ଥନ କରିଛନ୍ତି ।

“ଏହି ଐତିହାସିକ ନିଷ୍ପତ୍ତିକୁ ମୁଁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲି । ସମ୍ବିଧାନରୁ ଏହି ଧାରା ଉଚ୍ଛେଦ ହେବା ପରେ ସେତେବେଳର ବ୍ରିଟିଶ୍ ସରକାରଙ୍କ କୁଟନୀତି ଉପରେ ଏହା ଏକ ଶକ୍ତ ପ୍ରହାର ସଦୃଶ । ପ୍ରକୃତରେ ଏହି ଧାରା ଉଚ୍ଛେଦର ଆବଶ୍ୟକତା ରହିଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଦେଶ ମାତୃକା ଲାଗି କାର୍ଯ୍ୟ କରିବା ଉଚିତ,”ବୋଲି ପୁରୀ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ।

ବ୍ରିଟିଶ୍ ସରକାରଙ୍କ ଚକ୍ରାନ୍ତ ଓ କୂଟନୀତି ସମ୍ପର୍କରେ ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତକୁ ବିଭାଜନ କରିବାକୁ ସେମାନେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରିଥିଲେ । ଏହାଦ୍ୱାରା ଭାରତଠାରୁ ଆଫଗାନିସ୍ଥାନ ଏବଂ ପରେ ବ୍ରହ୍ମଦେଶ ଏବଂ ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା ମଧ୍ୟ ଅଲଗା ହୋଇଥିଲା । “ଇଂରେଜମାନେ ଭାରତକୁ ବିଭାଜନ କରି ଧର୍ମଭିତ୍ତିରେ ପାକିସ୍ତାନ ଗଠନ କରିବାରେ ସାହାଯ୍ୟ କରିଥିଲେ । ତେବେ ଭାରତ ସରକାରଙ୍କ ଏହି ଦୃଢ ନିଷ୍ପତ୍ତି ଭାରତର ସାର୍ବଭୌମତା ଏବଂ ଅଖଣ୍ଡତା ବଜାୟ ରଖିବାରେ ସହାୟକ ହୋଇପାରିବ ।”

Leave A Reply

Your email address will not be published.