Latest Odisha News

BREAKING NEWS

ଶତାବ୍ଦୀର ବିରଳ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା, ଲୋହିତ ରଙ୍ଗରେ ରଙ୍ଗୀନ ହେଲା ଚନ୍ଦ୍ର

ଭୁବନେଶ୍ୱର : ଶୁକ୍ରବାର ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ତଥା ବିରଳ ଚନ୍ଦ୍ରଗ୍ରହଣ ଦେଖିପାରିଛନ୍ତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ସାଧାରଣ ଜନତା ।

ଭାରତୀୟ ସମୟ ଠିକ ରାତି ୧୧ଟା ୫୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିଲା । ଆରମ୍ଭରୁ ଚନ୍ଦ୍ର ଆଂଶିକ ଭାବେ ଦୃଶ୍ୟମାନ ହୋଇ ଧିରେ ଧିରେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ ପରିବର୍ତ୍ତନ ହୋଇଥିଲା । ରାତି ପ୍ରାୟ ୧ଟା ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା ।

ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ଦୃଶ୍ୟମାନ ହୋଇଥିଲା । ଏହି ଚନ୍ଦ୍ରଗ୍ରହଣ ବେଳେ ଚନ୍ଦ୍ରର ସ୍ୱାଭାବିକ ଉଜ୍ଜ୍ୱଳତା ଦିଶୁନଥିଲା ବରଂ ଚନ୍ଦ୍ରକୁ ଲୋକମାନେ ଲାଲ ରଙ୍ଗରେ ରୂପାନ୍ତରିତ ହେବା ଦେଖିଥିଲେ ।

ଏହି ବିରଳ ମହାଜାଗତିକ ଦୃଶ୍ୟ ଆକାଶରେ ପ୍ରାୟ ୧୦୩ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । ରାତି ୩ଟା ୪୯ ମିନିଟ ପରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମାପ୍ତ ହୋଇଥିଲା ।

ବୈଜ୍ଞାନିକ ଦୃଷ୍ଟିରୁ ଏହି ମହାଜାଗତିକ ଦୃଶ୍ୟକୁ ସାଧାରଣ ଲୋକେ ସ୍ୱାଭାବିକ ଭାବେ ଦେଖିବାର କୌଣସି କଟକଣା ନଥିବାରୁ ଅନେକ ଆଗ୍ରହୀ ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହି ଦେଖିବାର ସୁଯୋଗ ନେଇଥିଲେ ।

ଭାରତୀୟ ଜ୍ୟୋତିଷଶାସ୍ତ୍ରାନୁସାରେ କିଛି ରାଶି ଓ ନକ୍ଷତ୍ରର ଲୋକମାନଙ୍କୁ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ବାରଣ ରହିଥିଲା । ଭାରତ ସମେତ ଓଡ଼ିଶାରେ ଲୋକମାନେ ଶାସ୍ତ୍ରାନୁସାରେ ନିର୍ଦ୍ଦିଷ୍ଟ ସମୟରେ ପାକ ତ୍ୟାଗ କରିବା ପୂର୍ବକ ପୂଜାଦି ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିଥିବା ଦେଖାଯାଇଥିଲା ।

Leave A Reply

Your email address will not be published.