Latest Odisha News

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି ଏହାର ବିଜ୍ଞାପନ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ।

ସମଗ୍ର ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏହା ଗୌରବର କଥା ଯେ, ଓଡ଼ିଶା ସରକାର ବିଶ୍ୱକପ ହକି ପ୍ରତିଯୋଗିତା ପରି ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି । ତେବେ ଏହି ବିଶ୍ୱକପର ସ୍ପନସରସିପ ଓଡ଼ିଶା ସରକାର ବହନ କରିଛନ୍ତି । ଏହି ବିଶ୍ୱକପର ନାମ ରହିଛି ‘ଓଡ଼ିଶା ହକି ମେନ୍ସ ବିଶ୍ୱକପ ୨୦୧୮ ’ । ଲଣ୍ଡନର ବସରେ ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଜରିଆରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିଜ୍ଞାପନ ବେଶ୍ ପ୍ରଚାରିତ ହେବାରେ ଲାଗିଛି ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ମଧ୍ୟ ଏହି ବିଶ୍ୱକପର ସହ ପ୍ରାୟୋଜକ ରହିଛି । ଓଡ଼ିଶା ଟାଇଟଲରେ ଏହି ବିଶ୍ୱକପ ଆୟୋଜିତ ହେବା ସହିିତ ସାରା ବିଶ୍ୱରେ ପ୍ରଚାରିତ ହେବା ଓଡ଼ିଶା ତଥା ପ୍ରତ୍ୟେକ ଓଡ଼ିଆଙ୍କ ଲାଗି ଗୌରବର ବିଷୟ । ଭାରତୀୟ ଦଳରେ ମଧ୍ୟ ଓଡ଼ିଶାରୁ ସର୍ବାଧିକ ଖେଳାଳି ବିଶ୍ୱକପ ଖେଳିବାକୁ ମନୋନୀତ ହୋଇଛନ୍ତି ।

 

ଓଡ଼ିଶା ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି, “ଏହି କ୍ୟାମ୍ପେନ୍ ଓଡ଼ିଶାର କ୍ରୀଡ଼ା ଓ ପର୍ଯ୍ୟଟନ ଉଭୟର ପ୍ରଚାର ହେଉଛି । ସମଗ୍ର ବିଶ୍ୱବାସୀ ଏହି ବିଶ୍ୱକପ ମାଧ୍ୟମରେ ଓଡ଼ିଶାକୁ ଭଲଭାବେ ଜାଣିପାରିବେ” । ଶ୍ରୀଯୁକ୍ତ ଦେବ ମଧ୍ୟ କହିଛନ୍ତି ନଭେମ୍ବର ମାସରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱକପ ଦେଖିବାକୁ ଆସିଥିବା ସମସ୍ତ ବିଦେଶୀ ଖେଳାଳି, ପର୍ଯ୍ୟଟକ, ଦର୍ଶକ ତଥା ବିଭିନ୍ନ ଦେଶର କ୍ରୀଡ଼ା କାର୍ଯ୍ୟକର୍ତ୍ତାମାନେ ଓଡ଼ିଶା ଆସି ଫେରିଲା ବେଳେ ଏକ ଭିନ୍ନ ସ୍ୱାଦର ଅଭିଜ୍ଞତା ହାସଲ କରିପାରିବେ ।

ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ମଧ୍ୟ କହିଛନ୍ତି, ଲଣ୍ଡନରେ ଏହି ଓଡ଼ିଶା ହକି ବିଶ୍ୱକପ ୨୦୧୮ର ବିଜ୍ଞାପନ ବହନ କରୁଥିବା ବସଟି ଲଣ୍ଡନ ଏୟାରପୋର୍ଟରୁ ଯାତ୍ରୀମାନଙ୍କୁ ନେଇ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଯାତାୟାତ କରୁଛି । ଏହାଦ୍ୱାରା ଓଡ଼ିଶା ତଥା ଓଡ଼ିଶା ପର୍ଯ୍ୟଟନର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର ହୋଇପାରୁଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ଲିଗ ମ୍ୟାଚ ଗୁଡ଼ିକ ଦିନ ୫ଟା ପରଠାରୁ ଖେଳାଯିବାକୁ ସ୍ଥିର ହୋଇଛି । କ୍ୱାର୍ଟର ଫାଇନାଲ ଡ଼ିସେମ୍ବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ । ସେମିଫାଇନାଲ ୧୫ ଏବଂ ଫାଇନାଲ ମ୍ୟାଚ ଡ଼ିସେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି

 

 

Leave A Reply

Your email address will not be published.