ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହେବା ପରେ ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନାପ୍ରକାରେ, ଝାଡଖଣ୍ଡ ରାଞ୍ଚିର ନରେଶ ସାହୁ ଓ କ୍ରିଷ୍ଣା କୁମାର ଦୁଇ ଦିନ ତଳେ ଏକ କାର ଯୋଗେ ବ୍ରହ୍ମପୁରରୁ ଚିକିଟି ଆଡ଼କୁ ଯାଉଥିଲେ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାକିପଡା ନିକଟରେ କିଛି ବ୍ୟକ୍ତି ତାଙ୍କ କାରକୁ ଅଟକାଇଥିଲେ। ଏହି ବ୍ୟକ୍ତିମାନେ ନରେଶ ଓ କ୍ରିଷ୍ଣାଙ୍କୁ ମାରଣାସ୍ତ୍ର ଦେଖାଇ ଧମକାଇବା ସହ ସେହି କାରରେ ବସାଇ ବିଭିନ୍ନ ସ୍ଥାନକୁ ବୁଲାଇଥିଲେ।
ସେହିପରି ଫୋନ-ପେ ମାଧ୍ୟମରେ ସମ୍ପର୍କୀୟଙ୍କ ଟଙ୍କା ମାଗି ଦେବାକୁ ବାଧ୍ୟ କରିଥିଲେ। ନରେଶ ଓ କ୍ରିଷ୍ଣାଙ୍କ ପାଖରେ ଥିବା ଟଙ୍କା ଏବଂ ଫୋନ-ପେ’ ରେ ଆସିଥିବା ଟଙ୍କାକୁ ମିଶାଇ ମୋଟ ୩ ଲକ୍ଷ ୭୫ ହଜାର ଟଙ୍କା ନେଇଯାଇଥିଲେ ।
ଏହାପରେ ଅପହରଣକାରୀମାନେ ନରେଶ ଓ କ୍ରିଷ୍ଣାଙ୍କ କାର ଓ ମୋବାଇଲ ନେଇଯିବା ସହ ସନ୍ଧ୍ୟାରେ ବ୍ରହ୍ମପୁରକୁ ଆଣି ଭୁବନେଶ୍ବର ଯାଉଥିବାଏକ ବସରେ ବସାଇ ଦେଇଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଲେ ଗଞ୍ଜେଇ ମାମଲାରେ ଫସେଇ ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।
ତେବେ ଏସପିଙ୍କ ନିକଟରେ ମଙ୍ଗଳବାର ଏହି ଦୁଇ ଜଣ ଅଭିଯୋଗ କରିବାପରେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବାକୁ ଏସପି ସର୍ବଣା ବିବେକ ଏମ୍ ଉଭୟଙ୍କୁ ପରାମର୍ଶ ଦେଇଥିଲେ । ସେହିକ୍ରମରେ ଦିଗପହଣ୍ଡି ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଅପହରଣକାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।
ତେବେ ନରେଶ ଓ କ୍ରିଷ୍ଣା ଦିଗପହଣ୍ଡି ଅଞ୍ଚଳକୁ କାହିଁକି ଆସିଥିଲେ, ଏମାନେ କ’ଣ ବ୍ୟବସାୟ କରୁଛନ୍ତି, ସେନେଇ ମଧ୍ୟ ପୋଲିସ ତନାଘନା ଚଲାଇଛି
Comments are closed.