Latest Odisha News

BREAKING NEWS

କୋଭିଡରେ ସେବା କାର୍ଯ୍ୟ ପାଇଁ ବ୍ରହ୍ମପୁରର ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: କୋଭିଡ ସମୟରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିବା ବ୍ୟବସାୟୀଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।

ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ଼ି, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏବଂ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ ଯୋଗଦେଇଥିଲେ ।

‘ନବେଲ କଜ୍‌’ ବ୍ୟାନରରେ କୋଭିଡର ପ୍ରଥମ ଲହର ବେଳେ ବ୍ରହ୍ମପୁର ସହରର କେତେକ ବ୍ୟବସାୟୀ ଏକାଠି ହୋଇ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ହାତକୁ ନେଇଥିଲେ । ବିଶେଷକରି ଆର୍ଥୀକ ଦୁର୍ବଳ ଏବଂ ଅସହାୟଙ୍କ ପାଖରେ ପହଞ୍ଚିଥିଲେ । ପ୍ରଥମେ ୫ଶହ ଶୁଖିଲା ରାସନ କେତେକ ପରିବାରକୁ ବଣ୍ଟନ କରାଯାଇଥିଲା । ପରେ ପ୍ରାୟ ଏକ କୋଟି ୨୦ ଲକ୍ଷ ଟଙ୍କାର ଶୁଖିଲା ରାସନ ବ୍ରହ୍ମପୁର ମହାନଗର ନିଗମର ସହାୟତାରେ ବଣ୍ଟନ ହୋଇଥିଲା ।

ସେହିଭଳି କୋଭିଡର ଦ୍ବିତୀୟ ଲହରରେ ମଧ୍ୟ ଅନେକ ମହତ କାର୍ଯ୍ୟ ଜାରି ରହିଥିଲା । ସଂଗଠନର ସଦସ୍ୟମାନେ କୋଭିଡ ହେଲ୍‌ଥ ସେଣ୍ଟରରେ ଆକ୍ରାନ୍ତଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ କରିଥିଲେ । ବିଶେଷକରି ଦ୍ବିତୀୟ ଲହରରେ ଅମ୍ଳଜାନର ଆବଶ୍ୟକତା ଦେଖାଦେଇଥିଲା । ସଂଗଠନ ତରଫରୁ ଅକ୍ସିମିଟର ସହ ଅନ୍ୟାନ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ଡାକ୍ତର ଏବଂ କର୍ମଚାରୀଙ୍କୁ ଉପହାର ସହିତ ଗ୍ଳୋଭ୍‌, ପିପିଇ କିଟ୍‌, ମାସ୍କ ଏବଂ ସାନିଟାଇଜର୍‌ ମଧ୍ୟ ପ୍ରଦାନ କରାଯାଇଥିଲା ।

କେବଳ ଏତିକି ନୁହଁ, ବ୍ରହ୍ମପୁର ସିଟି ହସ୍‌ପିଟାଲରେ ଏକ ଅକ୍ସିଜେନ୍‌ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସଂଗଠନ ପକ୍ଷରୁ ୬୦ ଲକ୍ଷ ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଥିଲା । ସଂଗଠନର ଏଭଳି ମହତ କାର୍ଯ୍ୟକୁ ଅତିଥିମାନେ ପ୍ରଶଂସା କରିଥିଲେ । ସଭାପତି ଅଶୋକ ଲୋହିୟା, ସଂପାଦକ ବିଶ୍ବ ରଞ୍ଜନ ପଟ୍ଟନାୟକ, ଅବ୍ଦୁଲ ସତାର, ରାଜେଶ ସାହୁ, ପି.କେ.ରାଜୀବ, ମିହିର ପାଣିଗ୍ରାହୀ ଏବଂ ବିରଜା ପାତ୍ର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.