ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇ ଯାଇପାରେ ତାକୁ ନେଇ ନେଇ ନବୀନ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହିତ ପୁଣିଥରେ ରାଜ୍ୟପାଳଙ୍କୁ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ସୁନିଶ୍ଚିତ କରିବା ପାଇଁ କହିଛନ୍ତି ନବୀନ ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଦୁଃଖ ପ୍ରକାଶ କରି ନବୀନ ନିଜ ଏକ୍ସରେ ଲେଖିଛନ୍ତି, ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ । ମନକୁ ଏହା ଅଧିକ ବିଚଳିତ କରୁଛି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଯାଇପାରେ । ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ, ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା । ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା। ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା। ସେ କେବଳ ଶାରୀରିକ ଆଘାତ ପାଇ ପ୍ରାଣ ହରାଇ ନାହିଁ, ବରଂ ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ, ଯାହା ତାଙ୍କୁ ନିଜ ସଂଗ୍ରାମରେ ଏକାକି ଛାଡ଼ି ଦେଇଥିଲା। ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍ ନୁହେଁ, ଏହା ଏକ ଯୋଜନାବଦ୍ଧ ଅନ୍ୟାୟ ବୋଲି କହି ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ।
ଏଥିସହିତ ନବୀନ ପୁଣି ଥରେ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଲେଖିଛନ୍ତି, ମୁଁ ରାଜ୍ୟପାଳଙ୍କୁ ଅନୁରୋଧ କରୁଛି, ଯେ ସେ ଏହା ସୁନିଶ୍ଚିତ କରୁନ୍ତୁ ଯେ, ନା କେବଳ କଲେଜ କର୍ତ୍ତୃପକ୍ଷ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ମଧ୍ୟ ଏ ଘଟଣା ପାଇଁ ଉତ୍ତରଦାୟୀ ହୁଅନ୍ତୁ ।
ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଏହା ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବା ଏକ ଜରୁରୀ ଆବଶ୍ୟକତା ବୋଲି ମନେ ପକାଇ ଦେଉଛି । ଆଇନ ତା’ର କଠିନତମ ପଦକ୍ଷେପ ନେବ। ଦୋଷୀମାନେ ଆପୋଷ ଦଣ୍ଡର ସମ୍ମୁଖୀନ ହେବେ ବୋଲି କହିଛନ୍ତି ରାଜ୍ୟପାଳ ।
Comments are closed.