Latest Odisha News

BREAKING NEWS

ଓଡ଼ିଶାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମିର ଡିଜିଟାଇଜେସନ ହେବ; ଖର୍ଚ୍ଚ ହେବ ୧୧ କୋଟିରୁ ଅଧିକ ଟଙ୍କା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମିର ଡିଜିଟାଇଜେସନ ହେବ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଓଡ଼ିଶାରେ ଥିବା ଶ୍ରୀଜନ୍ନାଥଙ୍କର ୩୫ ହଜାର ଏକର ଜମିର ଡିଜିଟାଇଜେସନ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ବୋଲି ସେ କହିଛନ୍ତି।

ମହାପ୍ରଭୁଙ୍କ ନାମରେ ଥିବା ଜମିର ଡିଜିଟାଇଜେସନ ହୋଇପାରିଲେ ଭୂଲେଖ ଭଳି ମହାପ୍ରଭୁଙ୍କ ଜମି ଚିହ୍ନଟ  କରିବା ସହଜ ହେବ। ଏହା ଛଡ଼ା ମହାପ୍ରଭୁଙ୍କ ଜମି ଦଖଲ କରିଥିବା ଲୋକେ ଅନ୍‌ଲାଇନ୍ ମାଧ୍ୟମରେ ରାଜସ୍ୱ ପୈଠ କରିପାରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏବେ କର୍ମଚାରୀ ଅଭାବରରୁ ମହାପ୍ରଭୁଙ୍କ ଜମିର ରାଜଭାଗ ବା ରାଜସ୍ୱ ଠିକ୍ ଭାବେ ଆଦାୟ ହୋଇପାରୁନି ବୋଲି ସେ କହିଛନ୍ତି।

ତେବେ ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖରେ ହେବାକୁ ଥିବା ବଜେଟ ପୂର୍ବ ବୈଠକରେ ଏବାବଦରେ ନିଷ୍ପତ୍ତି ନିଆଯାଇ ଚଳିତ ବର୍ଷ ବଜେଟରେ ଉପସ୍ଥାପିତ ହେବ। ଆସନ୍ତା ୧୭ ତାରିଖରେ ବସିବାକୁ ଥିବା ଫାଇନାନସ୍ କମିଟି ବୈଠରେ ଡିଜିଟାଇଜେସନ ଅଫ ଲ୍ୟାଣ୍ଡ ରେକର୍ଡ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ଜମି ରାଜ୍ୟ ସରକାରଙ୍କ ଭୂଲେଖ ଭଳି ଏକତ୍ରିତ ହେବ ବୋଲି ଅଜୟ ଜେନା କହିଛନ୍ତି।

ଅଜୟଙ୍କ ସୂଚନା ଅନୁସାରେ, ଓରସାକ୍ ଏହି ଡିଜିଟାଜେସନ କାମ କରିବ। ଆସନ୍ତା ବର୍ଷ ବଜେଟରେ ମଞ୍ଜୁର ହୋଇଥିବା ୧୧ କୋଟି ୪୦ ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିବ।ମହାପ୍ରଭୁଙ୍କ ନାମରେ ରାଜ୍ୟରେ ମୋଟ ୩୫ହଜାର ଏକର ଜମି ରହିଥିବା ବେଳେ ଖୋର୍ଦ୍ଧା ଓ ପୁରୀରେ ୨୦ହଜାର ଏକର ଜମି ରହିଥିବା ସୂଚନା ମିଳିଛି।

ଶ୍ରୀ ଜେନା ଆହୁରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ମହାପ୍ରଭୁଙ୍କ ନାମରେ ଥିବା ପୁରୀ, ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାରେ ଥିବା ୨୦୭୫ ଏକର ଜମିର ପଟ୍ଟା ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଆସିସାରିଛି।ନୂଆ ଶ୍ରୀଜଗନ୍ନାଥ ଜମି ପରିଚାଳନା ନିୟମ ଲ୍ୟାଣ୍ଡ କମିଟିରେ ମଞ୍ଜୁରୀ ପାଇସାରିଛି। ଆସନ୍ତା ପରିଚାଳନା କମିଟିରେ ଏହାକୁ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ।

ଥରେ  ମଞ୍ଜୁରୀ ମିଳିବା ପରେ ପରେ ଶ୍ରୀଜଗନ୍ନାଥ ଜମି ବିକ୍ରି ସହଜ ହୋଇପାରିବ ବୋଲି ଶ୍ରୀ ଜେନା କହିଛନ୍ତି। ଏବେ ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡରେ ୩୫୭ କୋଟି ଟଙ୍କା ରହିଛି। ଜମି ବିକ୍ରି ଟଙ୍କା ବଢ଼ିଲେ କର୍ପସ ପାଣ୍ଠି ବୃଦ୍ଧି ପାଇବ। ତେବେ ଜମି ବିକ୍ରି କରିବା ନ କରିବା ସେ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ ବୋଲି ଅଜୟ ଜେନା ସୂଚନା ଦେଇଛନ୍ତି।

ସେହିପରି ଦିବ୍ୟାଙ୍ଗମାନଙ୍କୁ ନେଇ ହେବାକୁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ବି ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା କରାଯିବର ଯଜୋନା ରହିଛି। ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗମାନେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ କାମ କରୁଥିବା ବୋଝିଆମାନେ କାନ୍ଧରେ ବାହୁଙ୍ଗି କରି ସେମାନଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ରହିବ। ଏଥିପାଇଁ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ହୋଇଥିଲା। ବୈଠକରେ ଉପରୋକ୍ତ ଯୋଜନା ବିଷୟରେ ଆଲୋଚନା ହୋଇଛି। ଯୋଜନାକୁ ଅନୁମତି ମିଳିଲେ ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

Leave A Reply

Your email address will not be published.