Latest Odisha News

BREAKING NEWS

‘ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି’: ମେଡିକାଲ୍ ବୋର୍ଡ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ମାନସିକ ରୋଗୀ । ନବ ଦାସଙ୍କୁ ଗୁଳି ପର ଠାରୁ ଗୋପାଳଙ୍କ ପତ୍ନୀ, ଡାକ୍ତରଙ୍କ ମନ୍ତବ୍ୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସେଇ ଦିଗରେ ଗତି କରୁଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଗୋପାଳର ମାନସିକ ସ୍ଥିତି ନେଇ ଅଧିକ ଯାଞ୍ଚ ପାଇଁ ବେଙ୍ଗଳୁରୁ ସ୍ଥିତ ନିମହାନ୍ସ ନେବାକୁ ଦୁଇଥର ଆବେଦନ କରିଥିବା ବେଳେ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

ଗୋପାଳ ଗୁଳିର ଗୁମର ଖୋଲିବା ଲାଗି କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏଯାଏ ପ୍ରକୃତ କାରଣ ଜଣାପଡ଼ି ନାହିଁ । ଅନ୍ୟପଟେ ମାର୍ଚ୍ଚ ୩ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶନାମାରୁ ଅନେକ କଥା ପଦାକୁ ଆସିଛି । ୨୦୨୩ ଫେବ୍ରୁଆରୀ ୫ ତାରିଖରେ ଡିଏମଇଟି ଦେଇଥିବା ରିପୋର୍ଟ ଅନୁସାରେ, ଗୋପଳ ଜଣେ ସଚେତ (ସବୁ ଜାଣିପାରୁଥିବା) ଲୋକ ।

ଏପରିକି ଗୋପାଳ ସତର୍କ, ସହଯୋଗୀ ଏବଂ ମିଳାମିଶା ପାଇଁ ଆଗ୍ରହୀ । ଆଖିକୁ ଆଖି ମିଶାଇ କଥା ହେଉଛି ଗୋପାଳ । ସ୍ଥିତି ଅନୁସାରେ ତାର ମନ ପରିବର୍ତ୍ତନ ହେଉଛି । ଲକ୍ଷ୍ୟ ସ୍ଥିର ଥିବାବେଳେ ଆବଶ୍ୟକତା ଅନୁସାରେ କଥା ହେଉଛି । ତା’ଠାରେ ବିଚଳିତ ହେବାର ଲକ୍ଷଣ ନାହିଁ । ସ୍ମୃତି ଶକ୍ତି ଭଲ ଅଛି ବୋଲି ରିପୋର୍ଟରେ ଦର୍ଶାଇଛି ମେଡିକାଲ୍ ବୋର୍ଡ ।

ମାନସିକ ଭାବେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ୍ ବୋର୍ଡ ଦର୍ଶାଇଥିବା ବେଳେ ସେ ମାନସିକ ଅସୁସ୍ଥ କି ନୁହେଁ ତାହା ଜାଣିବା ପାଇଁ ଅଧିକ ଯାଞ୍ଚ ଆବଶ୍ୟକତା ରହିଛି । ଯାହାକୁ ଭିତ୍ତି କରି ଗୋପାଳକୁ ବେଙ୍ଗଳୁରୁ ସ୍ଥିତ ନିମହାନ୍ସକୁ ନେବା ଲାଗି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ଗୋପାଳ ଅତି ନିକଟରୁ ଗୁଳି କରିଥିଲା । ସେହିଦିନ ହିଁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଇତି ମଧ୍ୟରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଗୋପାଳ ଦାସକୁ ୩ ଥର ରିମାଣ୍ଡରେ ନେଇ ଜେରା କରିଥିଲା । ଗୋପାଳର ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟ ବି ସରିଥିବା ବେଳେ ଗୁଳି ଗୁମର ଖୋଲୁନି ।

Leave A Reply

Your email address will not be published.