Latest Odisha News

BREAKING NEWS

ଆଜି କାଳିଆ ସାଆନ୍ତେଙ୍କ ନବାଙ୍କ ବେଶ, ଆସନ୍ତାକାଲି ମକର ସଂକ୍ରାନ୍ତିରେ ମହାପ୍ରଭୁ ପିନ୍ଧିବେ ମକର ଚୂଳ

ପୁରୀ: ଶ୍ରୀମନ୍ଦିରରେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ । ବର୍ଷ ତମାମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନାନାଦି ବେଶ କରାଯାଉଥିବା ବେଳେ ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ କରାଯିବ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଚାଉଳ ମେଳାଣ ଓ ଫୁଲ ମେଳାଣ ଲାଗି କରାଯିବ ।

ଆଜି ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ, କୁଣ୍ଡଳ ଇତ୍ୟାଦି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ସୋଲ, ଜରି,ଏବଂ ଗେଣ୍ଡୁଫୁଲରୁ ପ୍ରସ୍ତୁତ କରାଯାଇଥିବା ଅଳଙ୍କାରେ ମହାପ୍ରଭୁଙ୍କର ଯେଉଁ ବେଶ କରାଯାଏ ତାହା ନବାଙ୍କ ବେଶ ରୂପେ ପରିଚିତ ।

ସେପଟେ ଏହି ଦୁର୍ଲଭ ବେଶପାଇଁ ବଡ ଓଡିଆ ମଠ ତରଫରୁ ୧୬ ହାତ ବିଶିଷ୍ଟ ଗେଣ୍ଡୁମାଳା ସହ ଅନେକ ଗେଣ୍ଡୁମାଳା ପ୍ରସ୍ତୁତ କରାଯାଇଥାଏ । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ ।

ସାଧାରଣ ଦିନ ମାନଙ୍କରେ ଚତୁର୍ଦ୍ଧାବିଗ୍ରହଙ୍କ ଠାରେ ଚାରି ପାଞ୍ଚଟି ମାଳ ଲାଗୁଥିବା ବେଳେ ନବାଙ୍କ ବେଶରେ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପର ଗୁଡିକ ତୁଳସୀପତ୍ର ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ । ମହାପ୍ରଭୁଙ୍କ ନବାଙ୍କ ବେଶର ଦର୍ଶନ କରିବା ପାଇଁ ଶ୍ରୀମନ୍ଦରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ ।

ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଆଜି ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି । ଅନ୍ୟପଟେ ଗତ ମାସ ସଂକ୍ରାନ୍ତି ଦିନ ଠାରୁ ଦୀର୍ଘ ଏକମାସ ଧରି ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧର୍ମପତ୍ନୀ ମହାଲକ୍ଷ୍ମୀ ଆଜି ତାଙ୍କ ବାପଘରୁ ଶ୍ରୀମନ୍ଦିରକୁ ଫେରିବାର ପରମ୍ପରା ରହିଥିବାରୁ  ଏକମାସ ଧରି ଶ୍ରୀମନ୍ଦିରରେ ଚାଲିଥିବା ପହିଲି ଭୋଗ ନୀତିର ଆଜି ଅନ୍ତିମ ଦିବସ ବୋଲି କୁହାଯାଏ ।

 

 

Leave A Reply

Your email address will not be published.