Latest Odisha News

BREAKING NEWS

ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡ଼ିଆ ମହିଳା ମମତା

ଯାଜପୁର: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା । ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ପଟୁଣିଆ ଗ୍ରାମର ମୂଳ ବାସିନ୍ଦା ମମତା ଏବେ ଭୁବନେଶ୍ବର ଜଗନ୍ନାଥ ବିହାର ଅଞ୍ଚଳରେ ରହୁଛନ୍ତି । ସେ କୌଣସି ପେଷାଗତ ଦୁଃସାହସିକ କ୍ରୀଡ଼ାବିତ୍‌ ନୁହଁନ୍ତି । ସ୍ବାମୀ ସମରେଶ ଲେଙ୍କା ଓ ଦୁଇ ପୁଅଙ୍କୁ ନେଇ ମମତାଙ୍କ ପରିବାର ।

ମମତା ରାଉତ ବ୍ୟାଙ୍ଗଲୋରର ଷ୍ଟାଣ୍ଡାର୍ଡ ଚାର୍ଟଡ଼ ବ୍ୟାଙ୍କରେ ସିନିଅର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ଶୀତକାଳୀନ ଛୁଟିରେ ସେ ଏଭରେଷ୍ଟ ବେସ କ୍ୟାମ୍ପ ଆରୋହଣ ପାଇଁ ନିଷ୍ପତି ନେଇଥିଲେ । ବିନା ପ୍ରଶିକ୍ଷଣରେ ସେ ଏଭଳି ଏକ ଦୁଃସାହାସିକ କାର୍ଯ୍ୟ କରିବା ପାଇଁ ବାହାରିଥିଲେ । ସେ ହିମାଳୟ ଓଣ୍ଡର ସଂସ୍ଥା ପକ୍ଷରୁ ଡିସେମ୍ବର ୨୫ ତାରିଖରେ ଏଭରେଷ୍ଟ ବେସ କ୍ୟାମ୍ପ ଆରୋହଣ କରିଥିଲେ ।  ୫ହଜାର ୩୬୪ ମିଟର ଉଚ୍ଚ ଏଭରେଷ୍ଟ ବେସ କ୍ୟାମ୍ପ ଓ ୫ହଜାର ୫୫୦ ମିଟର କଳାପଥରରେ ଜାନୁଆରୀ ୧ ତାରିଖରେ ପହଞ୍ଚି ଥିଲେ। ପରେ ଜାନୁଆରୀ ୫ ତାରିଖରେ ଏଭରେଷ୍ଟ ପାଦଦେଶରେ ପହଞ୍ଚିଥିଲେ ମମତା । ମାଇନସ ୫୦ଡିଗ୍ରୀ ତାପମାତ୍ରାରେ ସେ ଏଭରେଷ୍ଟ ବେସ କ୍ୟାମ୍ପରେ ପହଞ୍ଚି ଜାତୀୟ ପତାକା ଉଡାଇ ଥିଲେ ।

ଏନେଇ ମମତା କହିଛନ୍ତି ଯେ, ବିନା ପ୍ରଶିକ୍ଷଣରେ ଜୀବନର ପ୍ରଥମ ପର୍ବତାରୋହଣ କରିଥିଲି । ବେସ୍‌ କ୍ୟାମ୍ପରେ ପହଞ୍ଚିବା ପରେ ଭାରତୀୟ ଜାତୀୟ ପତାକା ଉଡାଇବା ନେଇ ବହୁତ ଭାବବିହ୍ବଳ ହୋଇଯାଇଥିଲି । ତେବେ ଏଭରେଷ୍ଟ ଆରୋହଣ କରିବା କି ଦୁଃସାହସିକ କ୍ରୀଡ଼ାକୁ କ୍ୟାରିୟର କରିବା ନେଇ କୌଣସି ଯୋଜନା ନାହିଁ । ପ୍ରଥମ ପ୍ରୟାସ​‌ରେ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଚଢିବା ନେଇ ବହୁତ ଖୁସି ଲାଗୁଛି ବୋଲି ମମତା କହିଛନ୍ତି । ସେପଟେ ମମତାଙ୍କ ସଫଳ ଆରୋହଣ ପାଇଁ ତାଙ୍କୁ ହିମାଳୟ ଓଣ୍ଡର ପକ୍ଷରୁ ସମର୍ଦ୍ଧିତ କରାଯାଇଛି । ଜଣେ ମହିଳା ହୋଇ ମଧ୍ୟ ନିଜର ଦୃଢ ଇଚ୍ଛାଶକ୍ତି ତାଙ୍କୁ ଏହି ସଫଳତା ଆଣି ଦେଇଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.