ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ କାଳିଆ ସାଆନ୍ତଙ୍କ ଆଜି ହେଉଛି ଚତୁର୍ଥ ଦିନ । ଆସନ୍ତାକାଲି ହେରାପଞ୍ଚମୀ । ଅଭିମାନିନୀ ମାଆ ମହାଲଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ତିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ । ତେବେ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର । ଦତ୍ତମହାପାତ୍ର ସେବାୟତ ମାନେ ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ଆଜି ସନ୍ଧ୍ୟା ୭ଟା ରୁ ରାତ୍ର୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି କରିବେ ।
ପ୍ରାୟ ୪ ଘଣ୍ଟାର ଏହି ବନକଲାଗି ନୀତି ଥିବାରୁ ସର୍ବ ସାଧାରଣ ଦର୍ଶନକୁ ବନ୍ଦ କରାଯାଇ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ବନକଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତମହାପାତ୍ର ସେବାୟତ ମାନେ ଏହି ନୀତି ସଂପନ୍ନ କରିବେ ।ଗତକାଲି ପ୍ରଥମେ ଶ୍ରୀବିଗ୍ରହମାନଙ୍କର ଅଧର ପୋଛା ନୀତି କରାଯାଇଥିବା ବେଳେ ଆଜି ବନକ ଲାଗି ନୀତି କରାଯାଉଛି । ଏଥିପାଇଁ ବେଶ୍ ନିଷ୍ଠାର ସହ ଦତ୍ତ ମହାପାତ୍ର ସେବାୟତ ମାନେ ବନକ ପ୍ରସ୍ତୁତ କରିଛନ୍ତି । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ମହାପ୍ରଭୁଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାଏ । ବନକ ଲାଗି ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ।
ସେପଟେ ଆଜି ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡପ ଅବଢା ପାଇ ଭକ୍ତ କୋଟି ଜନ୍ମର ପୁଣ୍ୟ ଅର୍ଜନ କରିଥିବା କହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Comments are closed.