Latest Odisha News

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ ପଶିପାରନ୍ତି, ଦାଣ୍ଡଦୁଆରେ
ଗୋଡଭାଙ୍ଗି ଠିଆ ହୋଇପାରନ୍ତି, ନିଜେ କାନ୍ଧେଇ ସଉଦା ଭାର ନେଇ ଗୀତା ପଣ୍ଡାଙ୍କ ଘରେ ପହଂଚାଇପାରନ୍ତି- ଏମତି ସବୁକିଛି ସାଧାରଣ କାମ ବି ସେ କରିପାରନ୍ତି । ସେଥିପାଇଁ ଶ୍ରୀମଦ ଭାଗବତରେ ପରମ ଭାଗବତ
ପୁରୁଷ ଜଗନ୍ନାଥ ଦାସ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି ଯେ, ମୁହିଁ ଜଗତ ଅଛି ଛନ୍ଦି, ଭକତ ପାରେ ମୋତେ ବାନ୍ଧି, ଦୁର୍ଜ୍ଜୟ ଦେହ ମୋର ଶୂନ୍ୟ, ଭକତ ଭାବେ ମୁଁ ବନ୍ଧନ, ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର, ତା’ର ଚରଣ ରେଣୁ ଆଶେ, ଆବୋରି ଥାଇ ବେନି ପାଶେ । ଭକ୍ତ ମୋର । ମୁଁ ଗୋଟି ସୁଦ୍ଧା ଭକ୍ତର । ଆଉ କାହାରି ନୁହେଁ । ମୋ ଭକ୍ତିରେ ଜଡସଡ ହେଉଥିବା ଭକ୍ତର ସମସ୍ତ ଯୋଗକ୍ଷେମ କୁ ବହନ
କରିବା ପାଇଁ ମୁଁ ପ୍ରସ୍ତୁତ । ତେଣୁ ଗୀତାରେ ପ୍ରଭୁ କହିଲେ-ଯୋଗକ୍ଷେମ ବହାମ୍ୟହଂ । ଯୋଗରେ ଅକ୍ଷମ ହେଉଥିବା ଭକ୍ତ ପାଇଁ ଦରକାର ପଡିଲେ ମୁଁ ତା ପାଇଁ ଯୋଗ କରେ । ପ୍ରଭୁ ଗୀତାରେ ସିନା ଏକଥା
ଘୋଷଣା କଲେ, କିନ୍ତୁ ବାସ୍ତବରେ କାର୍ଯ୍ୟରେ କରି ଦେଖାଇଲେ ‘ରାମଚରିତ ମାନସ’ରେ । ଦ୍ୱାପରରେ କୃ୩⁄୪ କହିଲେ, ତ୍ରେତୟାରେ ପ୍ରଭୁ ରାମ କରିକି ଦେଖାଇଲେ । ବଡ ଆଶ୍ଚର୍ଯ୍ୟ ଜନକ ଘଟଣା ଏହି ଯେ,
ଏପରି ଉଦାହରଣ ସଚରାଚର ଜଗତରେ ବିରଳ ।

ଜଣେ ସାଧନା କରିବ, ଆଉ ଜଣେ ଫଳ ପାଇବ! ଜଣେ ଭକ୍ତି କରିବ, ଅଥଚ ମୁକ୍ତି ମିଳିବ ଆଉ କାହାକୁ!! ଜଣେ ତପସ୍ୟା କରିବ, ଆଉ ଜଣେ ମୋକ୍ଷ ପାଇବ !!! ଏହା କ’ଣ ସମ୍ଭବ? ହଁ, ନିଶ୍ଚେ ସମ୍ଭବ । ପ୍ରଭୁଙ୍କ
ପାଇଁ କିଛି ଅସମ୍ଭବ ନୁହେଁ । ଏବେ ଚାଲନ୍ତୁ ‘ଶ୍ରୀରାମଚରତ ମାନସ’ ପ୍ରସଙ୍ଗକୁ ଟିକେ ଯିବା ।

ବିଶ୍ୱାମିତ୍ରଙ୍କ ଅନୁରୋଧରେ ବାଳକ ରାମ ଓ ଲକ୍ଷ୍ମଣ ତାଡକା ଅସୁରୁଣୀକୁ ମାରି ସିଦ୍ଧବନରେ ଅନୁଷ୍ଠିତ ଯଜ୍ଞକୁ ସୁରକ୍ଷା ପ୍ରଦାନ କରି ଆଶ୍ରମରେ  ଥାଆନ୍ତି । ଖବର ପହଂଚିଲା ଯେ, ଜନକଙ୍କ ରାଜ୍ୟ ମିଥିଳାରେ ‘ଧନୁର୍ଯ୍ୟଜ୍ଞ‘ ହେବାକୁ ଯାଉଛି । ତେଣୁ ବିଶ୍ୱାମିତ୍ରଙ୍କ ସଙ୍ଗରେ ରାମ ଲକ୍ଷ୍ମଣ ଦୁଇ ଭାଇ ବାହାରିଲେ । ଦୁଇ ଭାଇଙ୍କ ଇଚ୍ଛା ଶିବ ଧନୁ ଏବଂ ସୀତାଙ୍କ ବିବାହ ଦେଖିବେ । କିନ୍ତୁ ବିଶ୍ୱାମିତ୍ରଙ୍କର ଅଲଗା ଉଦ୍ଦେଶ୍ୟ ଥିଲା ।

ସନ୍ଥ ତୁଳସୀ ସିଦ୍ଧବନ ରୁ ମିଥିଳା ଯିବା ରାସ୍ତାରେ ଆଉ ଏକ ଚରିତ୍ରକୁ ଆଣି ଥୋଇଛନ୍ତି । ତାହା ହେଲା ଅହଲ୍ୟା ଉଦ୍ଧାର ପ୍ରସଙ୍ଗ । ସେ ଚାହିଁଥିଲେ ଏ ପ୍ରସଙ୍ଗକୁ ଅନ୍ୟ କୋଉଠି ବି ରଖିପାରି ଥାନ୍ତେ । ହେଲେ ମିଥିଳା ନଗରକୁ ଯିବା ରାସ୍ତାରେ କାହିଁକି? ପୁଣି ଏହା ବି କୁହାଯାଇଛି, ହେ ରାମ, ତୁମକୁ ଅହଲ୍ୟାକୁ ସ୍ୱର୍ଶ କରିବାକୁ ପଡିବ । ନଚେତ ଆଗକୁ ବଢ଼ିବା ମନା । ଏହାର ଅର୍ଥ ଏୟା ଯେ, ଅହଲ୍ୟ ଉଦ୍ଧାର ହେଲେ ହିଁ ତୁମର ସୀତାଙ୍କ ସହ ମିଳନ ହେବ । ତା’ ପୂର୍ବରୁ ନୁହେଁ ।

ପାଠକେ, ଏହା ଭିତରେ କି ଦାର୍ଶନିକ ବିବେଚନା ଅଛି, ତାହା ଆଜିର ଆଲୋଚ୍ୟ ବିଷୟବସ୍ତୁ ନୁହେଁ । ଏ ବାବଦରେ ଆମେ ଆଉ କେବେ ଚର୍ଚ୍ଚା କରିବା । ସନ୍ନ୍ୟାସୀ ସବୁବେଳେ କହେ, ରାମାୟଣ କେବେ ଟୁଆଁ
ଟୁଇଁ ଗପ ନୁହେଁ । ଏହା ଭିତରେ ଜୀବନର ଗଭୀର ସାରବତା ଲୁଚିରହିଛି । ଏହାକୁ କାହାଣୀ ଭାବେ ବିବେଚନା କଲେ ଭକ୍ତି ମିଳେ । ଆନନ୍ଦ ମିଳେ । କିନ୍ତୁ ଭିତିରି ତତ୍ୱକୁ ଆଲୋଚନା କଲେ ଜ୍ଞାନ ମିଳେ । ଜୀବନ
ଦର୍ଶନ ମିଳେ । ଯାହାର ଇଚ୍ଛା, ଯିଏ ଯେଉଁ ଦୃଷ୍ଟିରୁ ଦେଖୁ, ସବୁଥିରେ ମିଠାସ ହିଁ ମିଠାସ । ଏଣିକି ଅସଲ ପ୍ରସଙ୍ଗକୁ ଯିବା । ‘ରାମଚରିତ ମାନସ’ ଅନୁସାରେ ଭକ୍ତିର ୯ ପ୍ରକାର ସାଧନ ଅଛି । ପ୍ରଥମ ସୋପାନ ହେଉଛି ସତ୍‌ସଙ୍ଗ ।
ସେଥିପାଇଁ ଗୋସ୍ୱାମୀ କହିଲେ- ପ୍ରଥମ ଭଗତି ସଂତହ୍ନ କର ସଂଗା । ବାଟରେ ଯାଉଥିବା ବେଳେ ବିଶ୍ୱାମିତ୍ର କହିଲେ ପ୍ରଭୁ! ଅହଲ୍ୟାକୁ ଟିକେ ଶୁଦ୍ଧ କରିଦିଅନ୍ତୁ । ଅହଲ୍ୟାଙ୍କ ସାମର୍ଥ୍ୟ ନଥିଲା ପ୍ରଭୁଙ୍କ ପାଖକୁ ଆସିବା ପାଇଁ । ସେ ତ ଜଡ଼ ଥିଲେ । ତେଣୁ ପ୍ରଭୁ ବାଧ୍ୟ ହୋଇ ତାଙ୍କ ପାଖକୁ ଗଲେ । ଆମ ସମାଜରେ ବି ଠିକ୍ ସେୟା ଘଟେ । ଛୋଟ ମୋଟ ରୋଗ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯାଉ । କିନ୍ତୁ ବଡ ରୋଗ ହେଲେ ଡାକ୍ତର ଆମ ପାଖକୁ ଆସନ୍ତି । ଅହଲ୍ୟା ଙ୍କ ବଡ଼ ରୋଗ ଥିଲା- ଇନ୍ଦ୍ରିୟ ସୁଖ । ସେଥିପାଇଁ ତାଙ୍କ ଜୀବନରେ ଇନ୍ଦ୍ରଙ୍କ ଚରିତ୍ରକୁ ଆଣି ରଖାଯାଇଛି । ସ୍ଥାଣୁଗତ୍ ଅହଲ୍ୟାଙ୍କୁ ଦେଖି ପ୍ରଭୁ ଭାବିଲେ ନବଧା ଭକ୍ତିରୁ ଯଦି ଦୁଇ ତିନିଟା ଭକ୍ତି ସାଧନ ଅହଲ୍ୟା ପାଖରେ ମିଳିଯାଏ ତେବେ ବି କାମ ହୋଇଯିବ । ହେଲେ ସେ ତ କିଛି ବି ନିଜେ କେବେ କରିପାରିବା
ଅବସ୍ଥାରେ ନାହିଁ । ତେଣୁ ତା ପାଇଁ ମୋତେ ଏବେ ପ୍ରଥମ ତିନୋଟି ଭକ୍ତି ସାଧନ କରିବାକୁ ପଡ଼ିବ । ଦେଖିବା-
ପ୍ରଥମ ଭକ୍ତି ହେଉଛି ସନ୍ଥଙ୍କ ସଙ୍ଗ ବା ସତ୍‌ସଙ୍ଗ । ସେଥିପାଇଁ ପ୍ରଭୁ ବିଶ୍ୱାମିତ୍ରଙ୍କୁ ସାଙ୍ଗରେ ନେଇଥିଲେ । ତାଙ୍କ ପରି ସନ୍ଥ ଆଉ କିଏ ଦୁନିଆରେ ଅଛି । ତେଣୁ ପ୍ରଥମ କାର୍ଯ୍ୟଟି ଶେଷ ହେଲା ।

ଦ୍ୱିତୀୟ ଭକ୍ତି- ଦୁସରି ରତି ମମ କଥା ପ୍ରସଂଗା । ଭକ୍ତିର ଦ୍ୱିତୀୟ ଲକ୍ଷଣ ହେଉଛି ପ୍ରଭୁଙ୍କ କଥାରେ ଆସକ୍ତି ରଖିବା । ଯିଏ ବାସ୍ତବିକ ଭକ୍ତ, ତା’ର ସଂସାରର କୌଣସି କଥା ଶୁଣିବାକୁ ଆଗ୍ରହ ନଥାଏ । ଘର ପରିବାର କଥା, ସମାଜ କଥା, ରାଜନୀତି କଥା, କି କାହାର କଳିଝଗଡା କଥା ଏ ସବୁକୁ ଶୁଣିବା ପାଇଁ ଗୋଟିଏ ଭକ୍ତର ଆଦୌ ଇଚ୍ଛା ନଥାଏ । ତା ମନ ସଦାସର୍ବଦା ଖୋଜି ବୁଲୁଥାଏ କେଉଁଠି ପ୍ରବଚନ ହେଉଥିବ କି ଗୀତା ଭାଗବତ ଆଲୋଚନା ହେଉଥିବ, ସେଠାକୁ ଯାଇ ଶୁଣିବ । ତା ପାଖରେ ଖବର ଥାଏ ସହରର କେଉଁ କେଉଁ ଜାଗାରେ କେଉଁ ସାଧୁ ଆସି ପ୍ରବଚନ ଦେଉଛନ୍ତି । ବୃତିଗତ ଜୀବନ ପରେ ତା ମନ ଖାଲି ଡହଳ ବିକଳ ହେଉଥାଏ ସେଇ ସ୍ଥାନମାନଙ୍କରେ ପହଂଚି ହରିକଥା ଶ୍ରବଣ କରିବାକୁ । ସନ୍ନ୍ୟାସୀର ମନେପଡୁଛି ଗୋଟିଏ ଛୋଟିଆ କଥା । ବଜାରରେ ଥିବା ୨/୩ଟି ସେଲୁନ ଭିତରେ ରବି ବାରିକଙ୍କ ବି ଗୋଟିଏ ସେଲୁନ୍ ଥାଏ । ଠାକୁରଙ୍କ ଦୀକ୍ଷିତ ସେ । ଇଆଡେ ହାତରେ କଇଁଚି ଚାଲିଥିବ, ତେଣେ ଠାକୁରଙ୍କ ବିଭିନ୍ନ ପ୍ରସଙ୍ଗ ଆଲୋଚନା ବି ହେଉଥିବ । ତେଣୁ
ପିଲାବେଳେ ସନ୍ନ୍ୟାସୀ ତାଙ୍କରି ସେଲୁନ୍‌କୁ ହିଁ ଚୁଟି କାଟିବାକୁ ଯାଏ । ଭାବେ ଏକାଥରକେ ଦୁଇଟି କାମ ହେବ-ଚୁୂଟି କଟା ତଥା ଠାକୁରଙ୍କ ଦିବ୍ୟ କଥା ଶ୍ରବଣ । ହେଲେ ଏଠି ତ ଅହଲ୍ୟା ଜଡ଼ । ତା’ର ପାଟି ଫିଟୁନି । ତେଣୁ ସେ କ’ଣ ହରିକଥା ଶୁଣିବ ନା କହିବ?

ପ୍ରଭୁ ଭାବିଲେ-ଠିକ୍ ଅଛି ତା କାମଟା ମୁଁ ଏବେ କରିଦେବି । ମୋ କଥା ଶୁଣିଲେ ଯଦି ଜଣଙ୍କର ମୁକ୍ତି ହୋଇଯାଏ ତେବେ ମୁଁ ଯାହାକଥା ଶୁଣିବି, ତା’ର ନିଶ୍ଚେ ମୁକ୍ତି ହେବ । ତେଣୁ ଏହି ନ୍ୟାୟରେ ଅହଲ୍ୟାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହର ସହ ବିଶ୍ୱାମିତ୍ରଙ୍କୁ ପଚାରିଲେ ।

‘ପୁଚ୍ଛା ମୁନି ହି ସିଳା ପ୍ରଭୁ ଦେଖି,

ସକଳ କଥା ମୁନି କହା ବିସେଷି’

ବିଶ୍ୱାମିତ୍ର ଅହଲ୍ୟା କଥା ବିସ୍ତାରିତ ଭାବରେ କହିଲେ । ପ୍ରଭୁ ଶୁଣିଲେ । ଅହଲ୍ୟାଙ୍କ ପାଇଁ ନବଧା ଭକ୍ତିର ଏ ଦ୍ୱିତୀୟ ସୋପାନଟିକୁ ମଧ୍ୟ ପ୍ରଭୁ ନିଜେ କଲେ । ନବଧା ଭକ୍ତିର ତୃତୀୟ ସୋପନ କ’ଣ? ‘ରାମଚରିତ ମାନସ’ ଅନୁସାରେ- ଗୁରୁପଦ ପଙ୍କଜ ସେୱା ତିସରୀ ଭଗତୀ ଅମାନ ।

ତୃତୀୟ ଭକ୍ତି ହେଉଛି ଗୁରୁଙ୍କ ପାଦ ପୂଜା । କିନ୍ତୁ ଅହଲ୍ୟା ଏତକ ବି କରିବାକୁ ଅକ୍ଷମ । ପ୍ରଭୁ ଭାବିଲେ ଠିକ୍ ଅଛି, ଏହାକୁ ବି ମୁଁ ଅହଲ୍ୟା ପାଇଁ କରିବି । ତେଣୁ ସେ ଗୁରୁ ବିଶ୍ୱାମିତ୍ରଙ୍କ ଠାରୁ ଆଜ୍ଞାପ୍ରାପ୍ତ ହେଲେ-
ଗୌତମ ନାରୀ ଶ୍ରାପ ବସ ଉପଲ ଦେହ ଧରି ଧୀର ଚରଣ କମଲ ରଜ ଚାହତି, କୃପା କରହୁ ରଘୁବୀର  ହେ ରଘୁବୀର! ଗୌତମଙ୍କ ପତ୍ନୀ ଅହଲ୍ୟା ପଥର ଦେହ ଧରି ତୁମ ଚରଣ ଧୂଳିକୁ ଅପେକ୍ଷା କରିଛି । ତାକୁ କୃପା କରନ୍ତୁ । ଗୁରୁଙ୍କ କଥା ମାନିବା ହିଁ ତାଙ୍କ ପୂଜା । ଆମେ କିନ୍ତୁ ଓଲଟା କରୁ । ଗୁରୁଙ୍କୁ ଧୂପ ଦୀପ ଦେଇ ଷୋଡଷପଚାର ପୂଜା କରୁଛୁ । ଲମ୍ବ ଲମ୍ବ ମୁଣ୍ଡିଆ ମାରୁଛୁ କିନ୍ତୁ ସେ ଦେଉଥିବା ଉପଦେଶକୁ ପାଳନ କରୁନୁ । ମନ ଭିତରେ ଗର୍ବ, ଦମ୍ଭ, ମାନ, ଅଭିମାନ କାହିଁରେ କେତେ । ହେଲେ ଏଠାରେ ପ୍ରଭୁ ରାମ ବିଶ୍ୱାମିତ୍ରଙ୍କୁ ଫୁଲ ପାଣି ଦେଇ ପୂଜା କରି ନାହାନ୍ତି । ଗୁରୁଙ୍କ ବାକ୍ୟ ମାନିଛନ୍ତି । ଗୁରୁ କହିଲେ କୃପାକରି ଚରଣ ରଜ ପ୍ରଦାନ କର । ପ୍ରଭୁ ଠିକ୍ ସେୟା ହିଁ କଲେ । ଏବେ ଜଡ଼ ଅହଲ୍ୟା ଚୈତନ୍ୟ ଲାଭ କଲେ ।

ପ୍ରଭୁ ଅହଲ୍ୟାଙ୍କ ପାଇଁ ଭକ୍ତିର ପ୍ରଥମ ତିନୋଟି ସୋପନ ନିଜେ କଲେ । ଚତୁର୍ଥ ଭକ୍ତି ହେଉଛି- ଚୈଥି ଭଗତି ମମ ଗୁନ ଗନ କରଇ କପଟ ତଜି ତାନ (୩/୩୫) ଚତୁର୍ଥ ଭକ୍ତି ହେଉଛି ଈଶ୍ୱରଙ୍କ ସ୍ତୁତି ବା ଗୁଣଗାନ । ଭଗବାନ
କହିଲେ ଅହଲ୍ୟା, ମୋ କାମ ସରିଲା । ଏଣିକି ଚତୁର୍ଥ ଭକ୍ତିର କାମ ତୁମର । ସଦ୍ୟ ଚୈତନ୍ୟ ପ୍ରାପ୍ତ ଅହଲ୍ୟା ଏବେ କରଯୋଡି ସ୍ତୁତି କରିବା ଆରମ୍ଭ କଲେ- ଅତି ନିରିମଲ ବାନି, ଅସ୍ତୁତି ଠାନି, ଗ୍ୟାନ ଗମ୍ୟ ଜୟ ରଘୁରାଇ ।
ଆମେ ଅହଲ୍ୟା ପରି ହେବା । ସାଧନା ଠୁଁ କୁଆଡକୁ ବି ମନକୁ ହଲିବାକୁ ଦେବାନି । ପ୍ରଭୁ ଆମ ପାଖକୁ ଆସିବେ । ଆମ୍ଭେ ଯୋଗରେ ଅକ୍ଷମ ହେଲେ ବି ସେ ଆମ୍ଭକୁ ଯୋଗକ୍ଷେମ କରାଇବେ ନିଜ ଅହେତୁକ କୃପା ବଳରେ ।

(ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ)

Comments are closed.