Latest Odisha News

BREAKING NEWS

ପୁରୀ ଐତିହ୍ୟ କରିଡର ପ୍ରକଳ୍ପ, ଆରଟିଆଇ ଖୋଲିଲା ଆଉ ଏକ ଗୁମର

ବଲାଙ୍ଗୀର: ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଏହି ପ୍ରକଳ୍ପକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁୟାୟୀ, ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଥିବା 100 ମିଟର ନିଷିଦ୍ଧାଞ୍ଚଳରେ ନିର୍ମାଣ କାମ କରିବାକୁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନୁମତି ଦେଇନାହାନ୍ତି। କିନ୍ତୁ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ଜିଲ୍ଲା ପ୍ରଶାସନ କହି ଆସୁଛନ୍ତି ଏନଏମଏର ଅନୁମତି କ୍ରମେ ଐତିହ୍ୟ କରିଡର ପ୍ରକଳ୍ପ କାମ ହେଉଛି।

BjdElectrycity

କେନ୍ଦ୍ରର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଏନ୍ଏମ୍ଏକୁ ସବିଶେଷ ତଥ୍ୟ ମାଗିଥିଲେ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା। ଉତ୍ତରରେ ଏନ୍ଏମ୍ଏ ଦର୍ଶାଇଛି ଯେ ଶ୍ରୀମନ୍ଦିର କରିଡର୍ ପ୍ରକଳ୍ପର ଅଂଶବିଶେଷ ଭାବେ 100 ମିଟର ନିଷିଦ୍ଧାଞ୍ଚଳ ଭିତରେ ନିର୍ମାଣ କାମ କରିବା ପାଇଁ ଏନ୍ଓସି ଦେଇନାହାନ୍ତି। ତେବେ ଏନ୍ଏମ୍ଏ ମଧ୍ୟ ସ୍ପଷ୍ଟ କରିଛି ଯେ ଏଭଳି ବେଆଇନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍ଏମ୍ଏ ପାଖରେ କୌଣସି କ୍ଷମତା ନାହିଁ।

ହେମନ୍ତ ପଣ୍ଡା କହିଛନ୍ତି,”ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଏନ୍ଓସି ବିନା ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାମ ଆଇନ ବିରୋଧୀ। ଅପରପକ୍ଷରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଙ୍ଗଳବାର ଶ୍ରୀମନ୍ଦିର କରିଡର ପ୍ରକଳ୍ପର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହି ମାମଲାରେ ଓଡ଼ିଶା ସରକାର କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୟ ସିବିଆଇକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ଏଏସ୍ଆଇ ନିଜର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି। ନହେଲେ ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ଉପୁଜି ନଥାନ୍ତା। ଏହାବ୍ୟତୀତ ପୁରୀରେ ଥିବା ପ୍ରାଚୀନ କୀର୍ତ୍ତିରାଜି ଓ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଓ ଅବଶେଷ ଆଇନକୁ ଉଲ୍ଲଂଘନ କରି ମଠଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଶ୍ରୀଜଗନ୍ନାଥଙ୍କୁ ଖେଳନାରେ ପରିଣତ ନକରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଠାକୁରଙ୍କୁ ଧରି ରାଜନୀତି ନକରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.