ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉପକୂଳ ଓଡ଼ିଶା ଅତିକ୍ରମ କରିବ । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି ।
ଲଘୁଚାପ ପ୍ରଭାବରେ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏନେଇ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ବରଗଡ଼, ସୋନପୁର, ବୌଦ୍ଧ, କୋରାପୁଟ, ବଲାଙ୍ଗୀର ଓ ନୂଆପଡ଼ାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷିପାରେ ।
ଏହା ସହ ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ୬ ତାରିଖ ଯାଏ ଏହିଭଳି ବର୍ଷା ଜାରି ରହିବ ବୋଲି ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୁରୁବାର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶୁକ୍ରବାର ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ଆଶଙ୍କା ଅଛି ।
ଆଇଏମଡି ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସେପ୍ଟେମ୍ବର ମାସରେ ଓଡ଼ିଶାରେ ସ୍ୱାଭାବିକ ପରିମାଣର ବର୍ଷା ହେବ । ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ମାସ ଆରମ୍ଭ ସୁଦ୍ଧା ୧୦୭% ବର୍ଷା ହୋଇଛି । ସ୍ୱାଭାବିକଠାରୁ ପ୍ରାୟ ୭% ଅଧିକ ବର୍ଷା ହୋଇଛି । ସାଧାରଣତଃ ୧୩ରୁ ୧୪ଟି ଲଘୁଚାପ ବା ଅବପାତ ସୃଷ୍ଟି ହୋଇଥାଏ । ଏଥର ୧୬ଟି ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଲଘୁଚାପ ହେଲେ ଦକ୍ଷିଣ ପଶ୍ଚିମ ଭାଗରେ ଅଧିକ ବର୍ଷା ହୁଏ ବୋଲି ସେ କହିଛନ୍ତି ।
Comments are closed.