Latest Odisha News

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଯାଏ ହିଟୱେଭ୍ ସହ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜି ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ୧୨ ତାରିଖ ଯାଏ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ସହ ହିଟୱେଭ୍ ଲାଗି ରହିବ । ୧୩ ତାରିଖରୁ ତାତି କମିବା ସହ କାଳବୈଶାଖୀ ପ୍ରଭାବ ବଢ଼ିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତଥାପି ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧି ରହିବା ସହ ଗୁଳୁଗୁଳି ଅନୁଭୂତ ହେବ ।

ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଗଜପତି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହୋଇପାରେ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ରାୟଗଡ଼ ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ ।

ଅନ୍ୟପଟେ ୨୪ ଘଣ୍ଟାରେ ହିଟୱେଭ୍ ନେଇ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ସେଭଳି ହିଟୱେଭ୍ ନେଇ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର ସୁନ୍ଦରଗଡ଼଼ ଓ କେନ୍ଦୁଝର ଜିଲ୍ଲାକୁ ୧୩ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୩ ତାରିଖରେ ୧୯ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟରେ ପବନର ସମ୍ଭାବନା ରହିଛି ।

Comments are closed.