Latest Odisha News

BREAKING NEWS

ବଙ୍ଗୋପସାଗରରେ ଲଘୁଚାପ, ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।

ପରବର୍ତ୍ତୀ ୩ ଦିନରେ ଅବପାତଟି ସମାନ ଦିଗରେ ଗତି କରି ତାମିଲନାଡ଼ୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପବନ ସହ ବର୍ଷା ହେବ । ତେବେ ଲଗୁଚାପ ପ୍ରଭାବ ଓଡ଼ିଶା ଉପରେ ସେତେଟା ରହିବ ନାହିଁ ।

ରାଜ୍ୟରେ ପାଗ ୨୦ ତାରିଖ ଯାଏ ଶୁଖିଲା ରହିବ । ୨୧ ତାରିଖରେ ସ୍ୱଳ୍ପ ବର୍ଷା ସହ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ହୋଇପାରେ । ଏସବୁ ଜିଲ୍ଲାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୮ ଓ ୧୯ ତାରିଖ ଦୁଇ ଦିନ କଳାହାଣ୍ଡି, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ଯାଏ ବଢ଼ିବ । ତଥାପି ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ତଳେ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆଜି କୋରାପୁଟର ଶିମିଳିଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୯ଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରିରେ ପାରଦ ୮.୨ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.