Latest Odisha News

ଆସୁଛି ବାତ୍ୟା: ପ୍ରବଳ ବର୍ଷା ସମ୍ଭାବନା, ଜୋରରେ ବହିବ ପବନ

ଭୁବନେଶ୍ୱର: ଆସୁଛି ବାତ୍ୟା । ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୫୦କିଲୋମିଟର ଦୂରରେ ରହିଛି । ୪ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ ।

ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ପ୍ରଭାବରେ ୪ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଦିଆଯାଇଛି । ଆଜି ସକାଳେ ସାଢ଼େ ୮ଟାରୁ ୪ତାରିଖ ସକାଳ ସାଢ଼େ ୮ଟା ଯାଏଁ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ଼ ୱାର୍ଣ୍ଣିଂ । ୫ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବଡ଼ ବିପଦକୁ ଆଶଙ୍କା କରି ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସେପଟେ ବାତ୍ୟା ଓ ତାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନଫରେନସିଂ ମାଧ୍ୟମରେ ୧୭ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି ପ୍ରଦୀପ ଜେନା । ୨୨୫ଟି ଓଡ୍ରାଫ୍, ଏନଡ଼ିଆରଏଫ ଟିମ୍ ମୁତୟନ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି କହିଛନ୍ତି ।

ବାତ୍ୟା ପ୍ରଭାବରେ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଥିବା କହିଛନ୍ତି ସମୂଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି ଏସଆରସି । କ୍ଷେତରେ ଅମଳକ୍ଷମ ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ଆଲର୍ଟ କରାଯାଇଛି । ପ୍ରସ୍ତୁତ ରଖାଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବା ପାଇଁ ଫୋକସ୍ ରଖାଯାଇଛି । ବାତ୍ୟାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି ଏସଆରସି । ପନିପରିବା କିଣାକିଣି ପାଇଁ ଅଯଥା ଗହଳି ନକରିବାକୁ କୁହାଯାଇଛି । ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ ।

ସମ୍ଭାବ୍ୟ ବାତ୍ୟା ୪ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ତହସିଲଦାର, ବିଡ଼ିଓଙ୍କୁ ନେଇ ଜିଲ୍ଲାପାଳ ପ୍ରସ୍ତୁତି ବୈଠକ କରିଛନ୍ତି । ବାତ୍ୟା ପାଇଁ ସତର୍କ ରହିବାକୁ ସବୁ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ଟାଙ୍ଗୀ, ଚିଲିକା ଓ ବାଣପୁର ଉପରେ ଫୋକସ୍ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । କୋରାପୁଟ ଜିଲ୍ଲାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.