Latest Odisha News

BREAKING NEWS

ଅବପାତରେ ପରିଣତ ହେଲା ଲଘୁଚାପ; ଦୁଇ ଦିନ ଧରି ପ୍ରବଳ ବର୍ଷିବ!

ଭୁବନେଶ୍ବର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଏଠାରେ ପବନର ବେଗ ୪୦ରୁ ୫୦ କିମି ମଧ୍ୟରେ ରହିବା ସହ ବଜ୍ରପାତ ସହ ବର୍ଷା ସମ୍ଭାବନା ଅଛି ।

ଅବପାତ ପ୍ରଭାବରେ ଆସନ୍ତା ୧୮ଜୁଲାଇ ଯାଏଁ ବର୍ଷା ଲାଗି ରହିବ । ଏନେଇ ୨୪ଘଣ୍ଟା ପାଇଁ ଅନୁଗୁଳ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଢେଙ୍କାନାଳ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ଅରେଞ୍ଜ ଆଲର୍ଟ ସହ ଅନ୍ୟ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସମୟରେ ପ୍ରବଳ ବର୍ଷା ହେତୁ ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଅବବାହିକାରେ ବର୍ଷା ସମ୍ଭାବନା ଥିବାରୁ ଏସବୁ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସ୍ଥିତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ରଖିବା ସହିତ ୨୪ ଘଣ୍ଟା ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୧୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Comments are closed.