ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍ ରହିବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତାଠାରୁ କମ୍ ରହିବ। ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍ ବର୍ଷା ନେଇ ପୂର୍ବାନୁମାନ ହୋଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାହାଠୁ ଟିକେ ଅଧିକ ବର୍ଷା ହେବ। ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବା ପ୍ରାୟ ୯୦ ପ୍ରତିଶତ ବର୍ଷା ହେବ।
ଚଳିତ ବର୍ଷ ଏକ ଶକ୍ତିଶାଳୀ ଏଲ ନିନୋ ସାରା ବିଶ୍ବର ପାଣିପାଗ ଚକ୍ରକୁ ଗଡ଼ବଡ଼ କରିପାରେ ବୋଲି ସତର୍କ କରାଇ ଦେଇଛି ବିଶ୍ବ ପାଣିପାଗ ସଂଗଠନ, WMO। କହିଛି ଯେ ଏଲନିନୋ ସୃଷ୍ଟି ହେବା ନେଇ ଅନୁକୂଳ ସ୍ଥିତି ସୃଷ୍ଟି ହେଉଛି। ଯାହାର ପ୍ରଭାବରେ ଏହି ବର୍ଷ ସାରା ବିଶ୍ୱରେ ଅତି ଖରାପ ପାଗ ଅନୁଭୂତ ହେବ। ଜଳବାୟୁ ପରିବର୍ତ୍ତନକୁ ଗୁରୁତର କରିପାରେ ଏହି ଶକ୍ତିଶାଳୀ ଏଲନିନୋ। ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲନିନୋ ସୃଷ୍ଟି ହେବା ନେଇ ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ଅତି କମରେ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିପାରେ।
ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ଏକ ଶକ୍ତିଶାଳୀ ଏଲନିନୋ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ କିମ୍ବା କିଛି ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି କରିପାରେ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ଦୁର୍ବଳ କରିପାରେ। ତେଣୁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ବୃଷ୍ଟିପାତରେ ହ୍ରାସ ଘଟିପାରେ। ଭାରତ ସହ ସାରା ବିଶ୍ବରେ ୩ ମାସ ପାଇଁ ମରୁଡି ସ୍ଥିତି ଦେଖାଦେଇପାରେ। ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।