Latest Odisha News

BREAKING NEWS

ପୁରାଣରେ ମା’ ଦକ୍ଷିଣକାଳୀ ଏବଂ ଶ୍ରୀଜଗନ୍ନାଥଙ୍କୁ ‘ଏକ’ ବୋଲି କୁହାଯାଇଛି, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମା’ଦକ୍ଷିଣ କାଳୀ ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ସିଂହଦ୍ୱାରଠାରୁ ଶ୍ୱେତଗଙ୍ଗା ଆଡକୁ ଯିବା ବାଟରେ ଏହା ବାମ ଦିଗରେ ପଡିଥାଏ ।

ଏହି ମନ୍ଦିରର ସମ୍ମୁଖ ଦ୍ୱାର ପୂର୍ବ ଦିଗକୁ ପ୍ରସାରିତ । ଠାକୁରାଣୀଙ୍କ ପାଖରେ ପହଂଚିବାକୁ ହେଲେ ୧୬ଟି ପାହଚ ଚଢ଼ିବାକୁ ପଡିଥାଏ । ଦେବୀ ବିଗ୍ରହ କଳା ମୁଗୁନି ପଥରରେ ନିର୍ମିତ ।

ସେଥିପାଇଁ ଏହାକୁ ମଣି ବିଗ୍ରହ କୁହାଯାଏ । ଉଚ୍ଚତା ପାଖାପାଖି ଦେଢ଼ ଫୁଟ ଓ ପ୍ରସ୍ଥ ଏକ ଫୁଟ । ଦେବୀ ଚର୍ତୁଭୂଜା ଓ ତ୍ରିନେତ୍ରୀ । ମାଆଙ୍କ ବାମ ପାଶ୍ୱର୍ରେ ମହାକାଳ ଲିଙ୍ଗ ରୂପେ ବିଦ୍ୟମାନ ।

ସମ୍ମୁଖ ଦ୍ୱାରର ଦକ୍ଷିଣ ଦିଗରେ ବିମଳା, ବାମ ପାଶ୍ୱର୍ରେ ଭୁବନେଶ୍ୱରୀ, ଦକ୍ଷିଣରେ ବରାହୀ ଓ ଉତରରେ ନରସିଂହୀ ବିଦ୍ୟମାନ । ଏହା ଦେବୀଙ୍କ ମନ୍ଦିରରେ ପାଶ୍ୱର ଦେବୀ ଭାବେ ସିଂହମୁଖୀ, ବ୍ୟାଘ୍ରମୁଖୀ, ଯମୁନା ଓ ମାୟା ରହିଛନ୍ତି । ମନ୍ଦିର ବେଢ଼ାର ଅନତି ଦୂରରେ ମହାକାଳେଶ୍ୱର ମନ୍ଦିର ଅବସ୍ଥିତ ।

କୁହାଯାଏ ଦକ୍ଷିଣୀ କାଳୀ ଏବଂ ଶ୍ରୀଜଗନ୍ନାଥଙ୍କ ଆଖି ପ୍ରାୟତଃ ଏକା ପରି । ଉଭୟଙ୍କୁ ଏକ ବୋଲି ବର୍ଣ୍ଣନା କରାଯାଏ । ସେଥିପାଇଁ ଶ୍ଳୋକରେ ବର୍ଣ୍ଣନା କରାଯାଇଛି “ଉଗ୍ରତାରା ଶୂଳପାଣି ସୁଭଦ୍ରା ଭୁବନେଶ୍ୱରୀ ନୀଳଶୈଳୀ ତୁ ଜଗନ୍ନାଥଃ ସାକ୍ଷାତ ଦକ୍ଷିଣ କାଳିକାଃ” ।

ଏଥିରୁ ପ୍ରତିପାଦିତ ହେଉଛି ଶ୍ରୀକ୍ଷେତ୍ର ଏକ ଶାକ୍ତକ୍ଷେତ୍ର । ସେଥିପାଇଁ ଶ୍ରୀପୁରୁଷୋତମଙ୍କ ଆରାଧାନା ପୂର୍ବରୁ ସିଂହାସନରେ ତାରା, ଭୁବନେଶ୍ୱରୀ ଓ କାଳୀ ବିଗ୍ରହର ଆରାଧନ ଥିଲା । ଉକ୍ତ ବିଗ୍ରହମାନେ ମହାଲକ୍ଷ୍ମୀ ଓ ବିମଳା ଯଯାତିଙ୍କଦ୍ୱାରା ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ପଥିକ ମନ୍ଦିରରେ ସ୍ଥାନୀତ ହୋଇଥିବା ବେଳେ ଗଙ୍ଗବଂଶ ରାଜତ୍ୱ ଆରମ୍ଭରେ ଦକ୍ଷିଣକାଳୀ ଅନ୍ୟ ଏକ ମନ୍ଦିରରେ ସ୍ଥାପିତ ହୋଇଛି ।

ଏହି ପଥିକ ସ୍ଥାନରେ ଆରାଧିତ କାଳିକା ବର୍ତ୍ତମାନ ଦକ୍ଷିଣକାଳୀ ଅଟନ୍ତି । ଦକ୍ଷିଣକାଳୀଙ୍କ ମଣିବିଗ୍ରହ ଶ୍ରୀମନ୍ଦିରରୁ ସ୍ଥାନାନ୍ତରିତ ହୋଇଥିବା ଫଳରେ ପୂର୍ବସ୍ଥାନକୁ ପ୍ରତ୍ୟାବର୍ତନ ବିଧି ନଥିବାରୁ ଶ୍ରୀମନ୍ଦିର ଫେରି ନାହାନ୍ତି ।

ଫଳରେ ଶ୍ରୀମନ୍ଦିର ପକ୍ଷରୁ ଶ୍ରୀଦକ୍ଷିଣକାଳୀଙ୍କ ପୂଜା ଆରାଧାନା ନିମନ୍ତେ ପରିବର୍ତିତ ଦ୍ରବ୍ୟ ଖଞ୍ଜାଯିବା ସହିତ ଶ୍ରୀଜଗନ୍ନାଥଙ୍କ ବର୍ଣ୍ଣ, ବେଶଭୂଷା, ବୀଜମନ୍ତ୍ର ଓ ଆରାଧାନା ଦିଗରେ ଶ୍ରୀଦକ୍ଷିଣକାଳୀଙ୍କ ସହ କେତେକ ସାମଞ୍ଜସ୍ୟ ରଖାଯାଇଛି ।

ତନ୍ତ୍ର ଶାସ୍ତ୍ରରେ ଉଗ୍ରତାରା, ଭୁବନେଶ୍ୱରୀ ଓ ଦକ୍ଷିଣକାଳୀକା ମୁଖ୍ୟ ଠାକୁରାଣୀ । ଏହା ବିଚାରକୁ ନେଲେ ବଳଭଦ୍ରଙ୍କ ସହ ଉଗ୍ରତାରା, ସୁଭଦ୍ରାଙ୍କ ସହ ଭୁବନେଶ୍ୱର ଓ ଜଗନ୍ନାଥ ଦକ୍ଷିଣକାଳୀଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି ।

ତନ୍ତ୍ରପୀଠ ନେଇ ଯୁକ୍ତି ବାଢ଼ିଲେ ପୁରୁଷ ଦେବ ହେବା ସତ୍ତ୍ୱେ ଜଗନ୍ନାଥ ଓ ବଳଭଦ୍ର ଶାଢ଼ୀ ପିନ୍ଧିବା ସହ ନାକରେ ଅଳଙ୍କାର ଲଗାଇଥାନ୍ତି । ସମସ୍ତଙ୍କ ଶରୀରରେ ଉଭୟ ଓ ପୁରୁଷ ଏବଂ ନାରୀ ସୁଲଭ ଗୁଣ ରହିଥାଏ ତାହା ମଧ୍ୟ ଏଥିରୁ ପ୍ରମାଣିତ ହୋଇଥାଏ ।

Comments are closed.