Latest Odisha News

BREAKING NEWS

ଏକାଗ୍ରତା ଏବଂ ଲକ୍ଷ୍ୟର ଅଭାବ ଯୋଗୁଁ ଦେଶରେ ବୈଜ୍ଞାନିକ ଗବେଷଣା ଦୁର୍ବଳ ହେଉଛି: ଶିକ୍ଷାବିତ୍ ସୁଧାକର ପଣ୍ଡା

ଭୁବନେଶ୍ୱର: ଏକାଗ୍ରତା ଏବଂ ଲକ୍ଷ୍ୟର ଅଭାବ ଯୋଗୁଁ ଦେଶରେ ବୈଜ୍ଞାନିକ ଗବେଷଣା ଦୁର୍ବଳ ହେବାରେ ଲାଗିଛି ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ତଥା ବୈଜ୍ଞାନିକ ପ୍ରଫେସର ସୁଧାକର ପଣ୍ଡା ।

ଅନେକ ସମୟରେ ଭାରତ କାହିଁକି ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି । ଅନେକ ଗବେଷକ ଗବେଷଣା କାର୍ଯ୍ୟ ଜାରି ରଖିଛନ୍ତି ତେବେ ସେମାନେ କ’ଣ କରୁଛନ୍ତି ଏବଂ ତାଙ୍କ ଗବେଷଣା କେଉଁ ଆଡକୁ ଗତି କରୁଛି ତାର ସଠିକ ଧାରଣା ସେମାନଙ୍କ ପାଖରେ ରହୁ ନାହିଁ ବୋଲି ଉଦ୍ବେଗ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଏବଂ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର)ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ।

ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଅଭିଭାବକମାନେ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପାଠ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଯେଉଁ ପ୍ରବେଶିକା ପରୀକ୍ଷା କରାଯାଏ ସେଥି ପାଇଁ ବିଭିନ୍ନ କୋଚିଂ ସେଂଟରରେ ଭର୍ତି କରାଉଛନ୍ତି ।

ତେବେ ଏହି କୋଚିଂ ସେଂଟରଗୁଡ଼ିକୁ ବନ୍ଦ କରିଦେବା ଉଚିତ୍ । ଅତି କମ୍ରେ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଏହି କୋଚିଂ ସେଂଟରରୁ ଶିକ୍ଷା ଲାଭ କରି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଭର୍ତି ହୋଇପାରୁଛନ୍ତି ।

କାରଣ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖୁବ୍ କମ୍ ସିଟ୍ ରହୁଛି ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଶୁକ୍ରବାର ‘ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଫ୍ ଫଙ୍କ୍ସ୍ନାଲ ମ୍ୟାଟେରିଆଲ୍ସ’ ଶୀର୍ଷକ ଦୁଇ ଦିନିଆ ଜାତୀୟ କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ପ୍ରଫେସର ପଣ୍ଡା ।

କୋଚିଂ ସେଂଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ କେବଳ ପ୍ରବେଶିକା ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତ କରିବ ସେ ବିଷୟରେ ପ୍ରସ୍ତୁତ କରାଯାଉଛି ମାତ୍ର ବିଜ୍ଞାନ ସମ୍ବନ୍ଧରେ କୌଣସି ଶିକ୍ଷା ଦିଆଯାଉନାହିଁ ବୋଲି ସେ କହିଛନ୍ତି ।

“ଆମେ ଏବେ କେଉଁ ଆଡକୁ ଗତି କରୁଛୁ ସେ ଦିଗରେ ମୁଁ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଚାହୁଁଛି” ବୋଲି କହି ପ୍ରଫେସର ପଣ୍ଡା ଏକ ଉଦାହରଣ ଦେଇଥିଲେ । “ମୁଁ ଅନୁଭବ କରୁଛି ମୁଁ ଏକ ଉଡାଜାହାଜରେ ଅନ୍ୟ ଯାତ୍ରୀମାନଙ୍କ ସହ ଯାତ୍ରା କରୁଛି ଯେଉଁଥିରେ କି ପାଇଲଟ୍ ଜଣକ ଉଡାଜାହାଜଟି କିଭଳି ଉଡ଼ାଣ ଭରିବ ତାହା ତ ଜାଣିଛନ୍ତି କିନ୍ତୁ ଏହା କିପରି ତଳକୁ ଓହ୍ଲାଯାଇ ପାରିବ ତାହା ଜାଣନ୍ତି ନାହିଁ ।”

ଏହି ଜାତୀୟ କର୍ମଶାଳାଟି ସୋଆ ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଫିଜିକ୍ସ ବିଭାଗ ଓ ଇଣ୍ଟରନ୍ୟାସନାଲ ଏକାଡେମୀ ଅଫ୍ ଫିଜିକାଲ୍ ସାଇନ୍ସେସ୍, ଆହ୍ଲାବାଦର ମିଳିତ ସହଯୋଗରେ ଆୟୋଜନ କରାଯାଇଛି ।

ପ୍ରଫେସର ପଣ୍ଡା କହିଛନ୍ତି ଯେ ଗବେଷଣା ପାଇଁ ଅର୍ଥ ବିନିଯୋଗ କରୁଥିବା ସଂସ୍ଥାଗୁଡ଼ିକ ଅନେକ ସମୟରେ ଜାଣିବାକୁ ଚାହୁଁଛନ୍ତି ଆମ ଗବେଷଣା କାର୍ଯ୍ୟ କିପରି ଚାଲିଛି ଏବଂ ଆମ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କର ଗତି କେଉଁ ଆଡକୁ ହେଉଛି । ତେବେ ଆମେ ପ୍ରକୃତରେ କ’ଣ କରିବାକୁ ଚାହୁଁଛୁ ତାହା ଚିନ୍ତାର ବିଷୟ । ଏଭଳି ପରିବେଶରେ ବୈଜ୍ଞାନିକ ଗବେଷଣାରେ କିଭଳି ଉନ୍ନତି ଘଟିବ ବୋଲି ଉଦ୍ବେଗ ପ୍ରକାଶ କରି ପ୍ରଶ୍ନ କରିଛନ୍ତି ପ୍ରଫେସର ପଣ୍ଡା ।

ଯେତେବେଳେ କି ଉପର ସ୍ତରରେ ଭାରତ କାହିଁକି ନୋବେଲ ପୁରସ୍କାର ପାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି ସେତେବେଳେ ମଧ୍ୟମ ସ୍ତରରେ ଗବେଷଣା ବିଷୟରେ କେହି ମଧ୍ୟ ଚିନ୍ତା କରୁନାହାଁନ୍ତି ଏବଂ ତଳ ସ୍ତରରେ ଛାତ୍ରଛାତ୍ରୀ ନିଜ କ୍ୟାରିୟରକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ନଷ୍ଟ କରିଦେଉଛନ୍ତି ବୋଲି ସେ ଉଦ୍ବେଗ ପ୍ରକାଶ କରିଛନ୍ତି । ପିଏଚଡି ଗବେଷକମାନଙ୍କୁ ପରିଚାଳିତ କରୁଥଇବା ବ୍ୟକ୍ତିମାନେ କେବଳ ନିଜ କ୍ୟାରିୟର ପାଇଁ ଚିନ୍ତା କରୁଥିବା ବେଳେ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ସେମାନଙ୍କର କୌଣସି ଅବଦାନ ରହୁ ନାହିଁ ବୋଲି ପ୍ରଫେସର ପଣ୍ଡା କହିଛନ୍ତି ।

ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ବିଳାସପୁରର ସ୍କୁଲ୍ ଅଫ୍ ଫିଜିକାଲ୍ ସାଇନ୍ସେସର ଡିନ୍ ଏବଂ ଆଇଏପିଏସ୍ର ଉପସଭାପତି ପ୍ରଫେସର ପି.କେ. ବାଜପାୟୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗବେଷକ ମାନେ ଗବେଷଣା କ୍ଷେତ୍ରରେ ନିଜକୁ ଅଧିକ ନିୟୋଜିତ କରନ୍ତୁ ବୋଲି କହିଥିଲେ । ଶିକ୍ଷା ଗ୍ରହଣ କରିବା ଅପେକ୍ଷା ବିଷୟଟି ବୁଝିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଟିଇଆର୍ର ଡିନ୍ ପ୍ରଫେସର ପି.କେ. ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟର ଡିନ୍ ପ୍ରଫେସର ପି.କେ. ନନ୍ଦ, କର୍ମଶାଳାର ସଂଯୋଜକ ପ୍ରଫେସର ଆର୍.ଏନ୍.ପି. ଚୌଧୁରୀ, ଫିଜିକ୍ସ ବିଭାଗର ମୁଖ୍ୟ ପ୍ରଫେସର ପି.ସି. ଦାସ, ବିଭାଗର ପ୍ରଫେସର ଏସ୍.କେ. କାମିଲା ଏବଂ କର୍ମଶାଳାର ଅର୍ଗାନାଇଜିଂ ସେକ୍ରେଟାରୀ ଡ. ଆର୍.ଏନ୍. ପଣ୍ଡା ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.