ଭୁବନେଶ୍ୱର: ମା ଶାଙ୍କୁଳାଇଙ୍କ ପୀଠ। ପୀଠକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଓସାରିଆ ପିଚୁ ରାସ୍ତା ଅଟେ । ଯେକୌଣସି ଯାନବାହାନ ଯାତାୟତ କରି ପୀଠକୁ ଯିବାରେ ଅସୁବିଧା ନାହିଁ । ମା ଶାଙ୍କୁଳାଇଙ୍କ ପୀଠଟି ଅତ୍ୟନ୍ତ ନିରୋଳା ଓ ମନରୋମ। ଏହା ଭଞ୍ଜପୀଠ ନାମରେ ପରିଚିତ। ସାଧକମାନଙ୍କ ପାଇଁ ଏହି ପୀଠଟି ଅତ୍ୟନ୍ତ ଉପଯୁକ୍ତ ଅଟେ। ଏହାର ଉତ୍ତରକୁ ଭଞ୍ଜରାଜବଂଶ ପ୍ରତିଷ୍ଠିତ ପ୍ରତାପ ଧନଞ୍ଜୟ ପୁର ଶାସନ ଓ ଦକ୍ଷିଣକୁ ଚନ୍ଦନପେଡ଼ି ଗ୍ରାମ ।
ଏହାର ପୂର୍ବକୁ ଅନ୍ତର ମାଙ୍କ ମୁକୁଟ ସଦୃଶ୍ୟ ଦଣ୍ଡାୟମାନ । ଏହାକୁ ଲାଗି ସରକାରଙ୍କ ତରଫରୁ ବନୀକରଣ ହୋଇଥିବା ଟାଙ୍ଗରେଇ ଜଙ୍ଗଲ ଅଛି ।ମାଆ ଶାଙ୍କୁଳାଇ ପ୍ରଥମେ ଶାଙ୍କୁଳାଇ ପାହାଡ଼ ପାଦଦେଶରେ ଏକ ବୃକ୍ଷ ମୂଳରେ ରହି ପୂଜା ପାଇ ଆସୁଥିଲେ । ବୋଧହୁଏ ଅସ୍ଥାୟୀ ଗୃହର ଭଗ୍ନାସ୍ଥାପରେ ଏପରି ହୋଇଥିଲା । କିନ୍ତୁ ଆଜକୁ ପ୍ରାୟ ୩୫ ବର୍ଷ ତଳେ ମାଆଙ୍କର ପକ୍କା ମନ୍ଦିର ନିର୍ମାଣ ହୋଇ ସେଠାରେ ସେ ପୂଜାପାଇ ଆସୁଛନ୍ତି।
୧୯୭୨ ମସିହାରେ ଏହି ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇ ୧୯୭୫ ମସିହାରେ ଏହାର କାର୍ଯ୍ୟ ଶେଷ ହୋଇଥିଲା। ମନ୍ଦିର ରତ୍ନ ମୁଦକାର୍ଯ୍ୟ ବହୁ ଆଡ଼ମ୍ବର ସହାକାରେ ପାଳିତ ହୋଇଥିଲା ।
ମନ୍ଦିର କାନ୍ଥରେ ରାମଚନ୍ଦ୍ରଙ୍କ ଜନ୍ମଠାରୁ ସ୍ଵର୍ଗାରୋହଣ ପର୍ଯ୍ୟନ୍ତ ସୁନ୍ଦର ସୁନ୍ଦର ଚିତ୍ର ମନ୍ଦିରର ଶୋଭାବର୍ଦ୍ଧନ କରୁଅଛି । ହିଂସ୍ରଜନ୍ତୁଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମନ୍ଦିରର ପୂର୍ବ ଭାଗଟି ଲୁହା ପିଞ୍ଜରା ଦ୍ଵାରା ଆବଦ୍ଧ ହୋଇଛି।
ମାଆଙ୍କର ମନ୍ଦିର ସାମ୍ନାରେ ମାଆଙ୍କ ବାହାନ ବିରାଟ ଶ୍ଵେତାବର୍ଣ୍ଣା ଖେଚରୀର ଲଗାମ୍ ମାଆ ଙ୍କ ହସ୍ତରେ ଥିବା ପରି ଦୃଶ୍ୟ ଅତ୍ୟନ୍ତ ଜୀବନ୍ତ ଓ ଚିତ୍ତାକର୍ଷକ । ମନ୍ଦିରର ପଛପାର୍ଶ୍ଵରେ ମନ୍ଦିରକୁ ଲାଗି ଗ୍ରାମଦେବତୀଙ୍କ କୋଠରୀ ଅବସ୍ଥିତ । ଏଠାରେ ଦେବୀ ପଶ୍ଚିମମୁଖୀ ହୋଇ ପୂଜା ପାଉଛନ୍ତି।
ଏହି ଗ୍ରାମଦେବତୀଙ୍କ ପୂର୍ବ ପଟ କାନ୍ଥରେ ଷଡ଼ଭୂଜା ଦେବୀ ପଶ୍ଚିମ ମୁଖ ହୋଇ ଦଣ୍ଡାୟମାନ । ଏହି ମନ୍ଦିରର ପ୍ରତ୍ୟେକ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଏହା ହେଉଛି ଶୈବ, ବୈଷ୍ଣବ ପରମ୍ପରାର ସଂକେତ ବହନ କରୁଥିବା ଏକ ଶକ୍ତିପୀଠ।
Comments are closed.