Latest Odisha News

BREAKING NEWS

ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସେପଟେ ଆଜିଠୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ପୁରୀ: ଆଜି ପବିତ୍ର ମାଘ ସପ୍ତମୀ। ବଡି ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ। ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଥିଲେ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ଆଜି ଭଳି ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରିବା ଫଳରେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରଥମେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ । ପରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ନିଜକୁ ଧନ୍ୟ କରିଛନ୍ତି । ଗତକାଲିଠାରୁ ଚନ୍ଦ୍ରଭାଗା ମେଳା ପଡ଼ିଆର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ମେଳା ପଡିଆରେ ଷଷ୍ଠୀ ତିଥିରେ ମହିଳାମାନେ ମାଟିହାଣ୍ଡିରେ ଶୁଖୁଆ ଡାଲମା, ଭାତ ରାନ୍ଧି ଏହାର କିଛି ଅଂଶକୁ ଅର୍କାସୁର ଉଦ୍ଦେଶ୍ୟରେ ସମର୍ପଣ କରି ପାରିବାରର ସୁଖ ସମୃଦ୍ଧି କାମନା କରିଥିଲେ। ପରେ ବଳକା ଅଂଶକୁ ନିଜେ ସେବନ କରିଥଲେ । ପରେ ହାଣ୍ଡିକୁ ନିକଟସ୍ଥ ହାଣ୍ଡି ଭଙ୍ଗା ପଡିଆରେ ଭାଙ୍ଗି ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପ୍ରଭୂ ସୁର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରେ ତିନି ମହାଦେବଙ୍କୁ ପୂଜା କରି ଆଶୀର୍ବାଦ ନେଇଥିଲେ ।

ସେପଟେ ଆଜିଠୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ବା ସୂର୍ଯ୍ୟ ଉପାସନା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ ଓ ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମପୁଣ୍ୟ ପ୍ରାପ୍ତ ହେବ। ଏହି ଯାତ୍ରା ପୂର୍ଣ୍ଣିମା ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପଟେ ୧୮ତାରିଖରୁ ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଯାତ୍ରାରେ ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି ।

 

Leave A Reply

Your email address will not be published.