ନୂଆଦିଲ୍ଲୀ: ଇଣ୍ଡୋନେସିଆର ଭୟଙ୍କର ଭୂକମ୍ପ ହୋଇଛି। ଏହାର ପୂର୍ବରେ ଅବସ୍ଥିତ ଫ୍ଲୋରେସ୍ ଦ୍ୱୀପରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା। ଏହି ଘଟଣାରେ ଅତି କମରେ ୩୮ରୁ ଅଧିକ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।
ଭୂକମ୍ପର ପ୍ରଭାବରେ ଅନେକ ଘରଦ୍ୱାର, କୋଠାବାଡ଼ି ଏବଂ ସରକାରୀ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। USGSର ତଥ୍ୟ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୫ଟା ୫୮ ରେ ଏହି ଭୂକମ୍ପ ଝଟକା ଲାଗିଥିଲା। ଏହାର କେନ୍ଦ୍ରବିନ୍ଦୁ ଏଣ୍ଡେ ସହରଠାରୁ ପ୍ରାୟ ୬୮ କିଲୋମିଟର ଦୂର ଏବଂ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା।
ପ୍ରାରମ୍ଭିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁନାମି ସତର୍କତା ଜାରି କରାଯାଇଥିଲା। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। ସିକ୍କା ଏବଂ ମଙ୍ଗରାଇ ରିଜେନ୍ସିରେ ବ୍ୟାପକ କ୍ଷତିଘଟିଛି। ଏଠାରେ ବହୁ ଡାକ୍ତରଖାନା ଏବଂ ନିର୍ମାଣାଧୀନ କୋଠା ଭାଙ୍ଗିଯାଇଛି। ଫଳରେ ଖୋଲା ଆକାଶ ତଳେ ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ବିଦ୍ୟୁତ ସରବରାହ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
