ଭୁବନେଶ୍ୱର: ଆଜି ମହାଶିବରାତ୍ରି । ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ । ଓମକାର ଧ୍ୱନୀରେ କମ୍ପୁଛି ଗଗନ ପବନ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁ ଲିଙ୍ଗରାଜଙ୍କର ଆଳତି ଅବକାଶ ସରିଛି । ଦିନ ୧୧ ଘଟିକା ପର୍ଯ୍ୟନ୍ତ ଦର୍ଶନ କରିବେ ଭକ୍ତ । ତାପରେ ବନ୍ଦ ରହିବ ଦର୍ଶନ।
ସାଢ଼େ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । ଅପରାହ୍ଣ ସାଢ଼େ ୨ଟାରୁ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ହେବ । ଏହାପରେ ଅପରାହ୍ଣ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନ ଆରମ୍ଭ ହେବ ।
ରାତି ୧୦ରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ସାମାଜିକ ଦୂରତାରେ ବେଢାରେ ଦୀପଦାନ ହେବ । ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ନିଷେଧ । ଆଡ଼କାଠ ଯାଏ ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ।
ଜାଗରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି । କୋଭିଡ୍ କଟକଣାରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରୁ ସୁନ୍ଦର ଭବାରେ ସାଜସଜ୍ଜା କରାଯାଇଛି ।
ସେହିପରି ପୁରୀ ସ୍ଥିତ ବାବା ଲୋକନାଥ ପୀଠ, କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର, ଢ଼େଙ୍କାନାଳର କପିଳାସ ସ୍ଥିତ ଶ୍ରୀଶ୍ରୀ ଚନ୍ଦ୍ରଶେଖର, ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣି ଓ ସମ୍ବଲପୁର ଜିଲ୍ଲା ହୁମାସ୍ଥିତ ବିମଳେଶ୍ୱର ମନ୍ଦିରରେ ଶିବରାତ୍ରି ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି ।
Comments are closed.