Latest Odisha News

BREAKING NEWS

ମହାନଦୀ ପୋଲ ବସ୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୨ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

କଟକ: କଟକ ମହାନଦୀ ପୋଲ ଉପରେ ତାଳଚେରରୁ ଭୁବନେଶ୍ୱର ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ଏହି ଦୁର୍ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ସମସ୍ତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତ ଯାତ୍ରୀମାନଙ୍କୁ ମାଗଣା ଚିକିତ୍ସା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ଯାତ୍ରୀମାନଙ୍କ ଚିକିତ୍ସା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଗସ୍ତରେ ଥିବାରୁ ରାଜ୍ୟ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱୀତ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଜଗନ୍ନାଥ ନାମକ ପାଣିକୋଚ୍ ବସଟି କଟକ ମହାନଦୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିଥିଲା । ସୂଚନାନୁସାରେ ମହାନଦୀ ପୋଲ ଉପରେ ଏକ ମଇଁଶୀକୁ ଧକ୍କା ଦେବାରୁ ବସର ଡ୍ରାଇଭର୍ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ପୋଲ ତଳକୁ ଖସି ପଡ଼ିଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବରପାଇ ତୁରନ୍ତ ଜଗତପୁର ପୋଲିସ, କମିଶନରେଟ ପୋଲିସର ବରିଷ୍ଠ ପଦାଧିକାରୀ, ଦମକଳ ବାହିନୀ ଏବଂ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଆହତ ବ୍ୟକ୍ତିମାନଙ୍କୁ ବସ ମଧ୍ୟରୁ ଉଦ୍ଧାର କରି କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ।

ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ପ୍ରଥମେ କିଛି ଆହତ ବ୍ୟକ୍ତିମାନଙ୍କୁ ସିଡ଼ି ଦ୍ୱାରା ରାଜପଥକୁ ଉଠାଯାଇଥିଲା ଏବଂ ପରେ ପାୱାର ବୋଟ ସାହାଯ୍ୟରେ ଗୁରୁତର ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ପରେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା ।

ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୬.୪୫ରୁ ୭.୧୫ ମଧ୍ୟରେ ଘଟିବା ପରେ ଘଣ୍ଟାକ ମଧ୍ୟରେ ଉଦ୍ଧାର କାର୍ଯ୍ୟ ହୋଇପାରିଥିଲା ।

“ପୋଲତଳ ମହାନଦୀରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଥିଲା, ୪ଟି ପାୱାର ବୋଟ ମାଧ୍ୟମରେ ମହାନଦୀ ପଠାରୁ ରାଜପଥକୁ ମୃତକ ଓ ଆହତ ବ୍ୟକ୍ତିମାନଙ୍କୁ ଅଣାଯାଇଥିଲା,” ବୋଲି କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ।

କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି, ଏହା ଏକ ଏସି ବସ୍ ହୋଇଥିବାରୁ ଝରକା କାଚ କାଟି ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ କଟକ ଏସସିବି ହସ୍ପିଟାଲର ଏମରର୍ଜେନ୍ସି ଅଫିସର ଭୁବନାନନ୍ଦ ମହାରଣା କହିଛନ୍ତି, ଏହି ଦୁର୍ଘଟଣାରେ ଗୁରୁତର ଆହତଙ୍କ ଲାଗି ଆଇସିୟୁ ଏବଂ ଆହତ ବ୍ୟକ୍ତିମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.