Latest Odisha News

BREAKING NEWS

କଟକରେ ମର୍ମନ୍ତୁଦ ଦୁର୍ଘଟଣା: ମହାନଦୀ ପୋଲ ତଳକୁ ଖସି ପଡ଼ିଲା ବସ, ୧୦ ଜଣଙ୍କ ମୃତ୍ୟୁ

କଟକ: କଟକ ମହାନଦୀ ପୋଲ ତଳକୁ ଖସି ପଡ଼ିଛି ଏକ ଯାତ୍ରୀବାହୀ ବସ । ଏହି ବଡ଼ ଧରଣର ବସ୍ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂତ୍ରରୁ ସୂଚନା ମିଳିଛି, ଏକ ଘରୋଇ ବସ୍ ତାଳଚେରରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ମହାନଦୀ ପୋଲ ଉପରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏକ ମଇଁଶୀକୁ ଧକ୍କା ଦେଇ ବସଟି ପୋଲ ତଳକୁ ଖସି ପଡ଼ିଥିଲା ।

ଘଟଣା ସମ୍ପର୍କରେ ଖବରପାଇ ଜଗତପୁର ପୋଲିସ ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏଯାଏଁ ପ୍ରାପ୍ତ ସୂଚନାନୁଯାୟୀ ଓଡ୍ରାଫ ଟିମ ସହିତ ୪ଟି ଆମ୍ବୁଲାନ୍ସ ଏବଂ ଦମକଳବାହିନୀ ମହାନଦୀ ପୋଲ ତଳେ ଦୁର୍ଘଟଣାଗ୍ରସ୍ତ ବସରୁ ମୃତାହତ ମାନଙ୍କୁ ଉଦ୍ଧାର ଜାରି ରଖିଛନ୍ତି ।

ବସଟି ତାଳଚେରରୁ କଟକ ଅଭିମୁଖେ ଆସୁଥିଲା । ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ସଠିକ୍ ମିଳିନଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ପୋଲିସ ସୂତ୍ରରୁ ଜଣା ପଡ଼ିଛି । ଦୁର୍ଘଟଣାରେ  ଗୁରୁତର ଆହତ ମାନଙ୍କୁ କଟକ ଏସସିବି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଉଛି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ରହିଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ତିମ ରିପୋର୍ଟ ଅନୁଯାୟୀ, ଇତିମଧ୍ୟରେ ୨୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିଛି ।

Leave A Reply

Your email address will not be published.