Latest Odisha News

BREAKING NEWS

ମଠ ଭାଙ୍ଗିବା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଲେ ମହନ୍ତ…

ପୁରୀ/ଭୁବନେଶ୍ୱର: ପୁରୀ ଜିଲ୍ଲା ପ୍ରଶାସନ ଜାରି ରଖିଛନ୍ତି ବଡ଼ଦାଣ୍ଡରେ ଉଚ୍ଛେଦ ପ୍ରକ୍ରିୟା । ପ୍ରଶାସନ ଏବଂ ୧୫ ଜଣିଆ ପ୍ରତିନିଧି କମିଟି ମଧ୍ୟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକ ଫଳପ୍ରଦ ନ’ହେବା ଫଳରେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପୁରୀରେ ଥିବା ବିଭିନ୍ନ ମହନ୍ତମାନେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଜିଲ୍ଲା ପ୍ରଶାସନ ଏବେ ଯେଉଁ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି ତାହାକୁ ବନ୍ଦ କରିବା ଲାଗି ଏହି ପତ୍ରରେ ଅନୁରୋଧ କରାଯାଇଥିବା ସୂଚନା ମିଳିଛି ।

ଏକ ଖୋଲା ଚିଠିରେ ପୁରୀର ୧୩ଟି ମଠର ମହନ୍ତମାନେ ସୁପ୍ରିମକୋର୍ଟଙ୍କୁ ପତ୍ର ଦ୍ୱାରା ଜଣାଇଛନ୍ତି ଯେ, ଠାକୁରମାନଙ୍କୁ ପୂଜା କରିବା ସେମାନଙ୍କର ନୈତିକ ଅଧିକାର ଏବଂ ଓଡ଼ିଶା ସରକାର ମଧ୍ୟ ଠାକୁରମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଉଚିତ ।

ପୁରୀ ସହରରେ ପ୍ରାୟ ୧୮ଟି ଭିନ୍ନ ଭିନ୍ନ ମଠ ରହିଛି । ଶ୍ରୀମନ୍ଦିର ଆଇନ ଓ ଅଧିକାର ଅନୁଯାୟୀ ଏହି ମଠ ଗୁଡ଼ିକ ଶ୍ରୀଜୀଉମାନଙ୍କର ବିଭିନ୍ନ ପାରମ୍ପରିକ ସେବା କରିଥାଆନ୍ତି ।

ଏପରିକି ଏହି ପତ୍ରରେ ଉଲ୍ଲେଖ ରହିଛି ଯେ, ଆଡ଼ଭୋକେଟ ଜେନେରାଲ୍ ଯେଉଁପରି ଭାବେ ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ମହନ୍ତମାନଙ୍କ ସହମତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି ତାହା ମିଥ୍ୟା ଅଟେ ।

“ଆମ୍ଭେ, ସମସ୍ତ ମହନ୍ତମାନେ ଜଣାଉଅଛୁଁ କି, ଆମମାନଙ୍କର ମଠଗୁଡ଼ିକୁ ଉଚ୍ଛେଦ କରିବା ଲାଗି ଆମେ ସହମତି ପ୍ରଦାନ କିମ୍ବା ରାଜି ହୋଇନାହୁଁ । ବରଂ, ଜିଲ୍ଲା ପ୍ରଶାସନ ଆମକୁ ଉଚ୍ଛେଦ ଲାଗି ବାଧ୍ୟ କରାଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଆଡ଼ଭୋକେଟ ଜେନେରାଲଙ୍କ ଆବେଦନ ଉପରେ କୌଣସି ଶୁଣାଣୀ ବିନା ଇଣ୍ଡିକ୍ କଲେକ୍ଟିଭ୍ ଟ୍ରଷ୍ଟର ପିଟିସନକୁ ଖାରଜ କରିଦେଲେ । ଏହି ଟ୍ରଷ୍ଟ ଐତିହ୍ୟର ସୁରକ୍ଷା ନିମନ୍ତେ ଅନୁରୋଧ କରିଛନ୍ତି ।” ଏହା ଏହି ପତ୍ରରେ ଉଲ୍ଲେଖ ରହିଛି ।

ଅଧିକ ପଢନ୍ତୁ: ପୁରୀ ବଡ଼ଦାଣ୍ଡ ଉଚ୍ଛେଦ ପ୍ରକିୟା ଚାଲୁ ରହିବ: ଜିଲ୍ଲାପାଳ

ଶ୍ରୀମନ୍ଦିରର ୭୫ ମିଟର ଚାରିପାଖରେ ସୁରକ୍ଷା ନିମନ୍ତେ ଉଚ୍ଛେଦ କରିବାକୁ ରାଜ୍ୟ କ୍ୟାବିନେଟ ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ପୁରୀ ଜିଲ୍ଲା ପ୍ରଶାସନ ଅଗଷ୍ଟ ୧୯ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ୧୨ଶ ଶତାବ୍ଦୀର ପୁରାତନ କୀର୍ତ୍ତିରାଜିର ସୁରକ୍ଷା ତଥା ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି । ଜଷ୍ଟିସ ବି ପି ଦାସ କମିଶନଙ୍କ ଏକ ଅନ୍ତରୀଣ ରିପୋର୍ଟ ଅନୁଯାୟୀ ଏନେଇ ରହିଥିବା ପ୍ରସ୍ତାବ ପାରିତ ହୋଇଥିଲା ।

Leave A Reply

Your email address will not be published.