Latest Odisha News

BREAKING NEWS

ପୁରୀ ବଡ଼ଦାଣ୍ଡ ଉଚ୍ଛେଦ ପ୍ରକିୟା ଚାଲୁ ରହିବ: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏବଂ ୧୫ ଜଣିଆ ସଦସ୍ୟଙ୍କ କମିଟି ମଧ୍ୟରେ ବୁଧବାର ଦିନ ପୂର୍ବ ନିର୍ଦ୍ଧାରିତ ବୈଠକ ସମାପ୍ତ ହୋଇଥିଲେ ମଧ୍ୟ କମିଟିକୁ ନିରାଶ ହେବାକୁ ପଡ଼ିଛି । ଏହି ଉଚ୍ଛେଦ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କମିଟିର ପ୍ରସ୍ତାବକୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଦେଇଛନ୍ତି ।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ, ଶ୍ରୀମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ରହିଥିବା ସମସ୍ତ ଦୋକାନ, ମଠ ତଥା ବିଭିନ୍ନ ଅନୁଷ୍ଠାନର ଘର ଗୁଡ଼ିକର ଯେଉଁ ଉଚ୍ଛେଦ କରାଯାଉଛି ତାହା ଚାଲୁ ରହିବ । ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟାକାରୀ କରାଯିବା ସହିତ ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ସୁଦୃଢ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା ହୋଇପାରେ ।

ସେହିପରି ଜିଲ୍ଲାପାଳଙ୍କ ଏହି ବୟାନ ପରେ କମିଟିର ସଦସ୍ୟ ତଥା ବରିଷ୍ଠ ସେବାୟତ ଦାମୋଦର ପଧାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜିଲ୍ଲାପାଳ ଏହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ନେଇ କୌଣସି ଆଶ୍ୱାସନା ଦେଇନାହାନ୍ତି । ସରକାରଙ୍କ ଆଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି, ତେଣୁ ଆମେ ଏହାକୁ ବିରୋଧ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ୍ୁ ଅବଗତ କରିବୁ ।

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆମେ ଆମର ସମସ୍ୟା ସମ୍ପର୍କରେ ଜଣାଇବୁ । ଦରକାର ପଡ଼ିଲେ ବୁଲଡ଼ୋଜର ଆଗରେ ଆମେ ଆମର ମୁଣ୍ଡଦେଇ ଜୀବନ ଦାନ କରିବୁ,” ବୋଲି ଚେତାବନୀ ଦେଇ କହିଛନ୍ତି ବରିଷ୍ଠ ସେବାୟତ ଶ୍ରୀ ପଧାନୀ ।

Leave A Reply

Your email address will not be published.