Latest Odisha News

BREAKING NEWS

‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତଃ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ୧୩ ଟି ଗଳ୍ପ ସ୍ଥାନିତ ହୋଇଛି ଏବଂ ଏହା ୨୦୨୦ ମସିହା ଡ଼ିସେମ୍ବର ମାସରେ ପ୍ରକାଶିତ ହୋଇଥିଲା ।

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରମୁଖ ସ୍ରଷ୍ଟା ସ୍ବର୍ଗତଃ ମହାପାତ୍ର ନୀଳମଣି ସାହୁ ଥିଲେ ଅନନ୍ୟ ସିଦ୍ଧିର ଅଧିକାରୀ । କଥା ସାହିତ୍ୟ ଓ ଉପନ୍ୟାସ ଭଳି ସୃଜନଶୀଳ ସୃଷ୍ଟି କର୍ମରେ ତାଙ୍କର ସ୍ୱାକ୍ଷର କାଳଜୟୀ ମହାପାତ୍ରଙ୍କ ଗଳ୍ପ ସାହିତ୍ୟରେ ଗଭୀର ଅନୁଭୂତି, ସାମ୍ପ୍ରତିକ କାଳର ଜୀବନଚର୍ଚ୍ଚା, ସାଂସାରିକ ମଣିଷର ବ୍ୟଥାବେଦନା ଏବଂ ଜୀବନ ସଂଗ୍ରାମର ଚିତ୍ର ଜୀବନ୍ତ ଭାବେ ରୂପାୟିତ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ରଙ୍କ  ସ୍ମୃତିଚାରଣ କରି କହିଲେ ଯେ, ସେ ନାହାନ୍ତି ସତ କିନ୍ତୁ ତାଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବର ବର୍ଣ୍ଣନା କରିହେବ ନାହିଁ । ତାଙ୍କ ଦ୍ୱାରା ଓଡିଆ ଜାତି ଏବଂ ସମାଜ ପ୍ରଭାବିତ ହୋଇଥିଲା । ବିଶେଷ ଭାବରେ କୋଭିଡ ସମୟରେ ନିଜେ କରୋନା ସଂକ୍ରମିତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ଦେଶର ଆବଶ୍ୟକତା ରହିଥିବା ପିପିଇ କିଟ୍‌, ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରିଥିଲେ, ଏହା ଥିଲା ସ୍ବର୍ଗତଃ ମହାପାତ୍ରଙ୍କ କର୍ତ୍ତବ୍ୟ ନିଷ୍ଠା ଏବଂ ସମାଜ ପ୍ରତି ସମର୍ପଣ ଭାବର ପ୍ରମାଣ । ପ୍ରଧାନମନ୍ତ୍ରୀ ତାଙ୍କ କାମରେ ଏତେମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସେ ନିଜ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ସ୍ୱର୍ଗତଃ ମହାପାତ୍ରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଅକ୍ସିଜେନ୍ ପହଞ୍ଚାଇବାରେ ତାଙ୍କର କାର୍ଯ୍ୟ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ତାଙ୍କ ଭଳି ଜଣେ କର୍ମନିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସଂକଳିତ ହୋଇଥିବା ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ ନିଜକୁ କୃତଜ୍ଞ ମାନେ କରୁଛନ୍ତି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତଃ ମହାପାତ୍ରଙ୍କ ପତ୍ନୀ ଅଞ୍ଜଳି ମହାପାତ୍ର, ତାଙ୍କ ପୁତ୍ର ଦୀପ୍ତିମାନ ମହାପାତ୍ର ଏବଂ ଜୀମୂତବରଣ ମହାପାତ୍ର, ପ୍ରମୁଖବକ୍ତାଗଣ ଭାବରେ ଭିଡିଓ କନଫରେନ୍ସ ଜରିଆରେ ଶାନ୍ତନୁ କୁମାର ଆଚାର୍ଯ୍ୟ, ମମତା ଦାଶ, ଯଶୋଧାରା ମିଶ୍ର, ଅର୍ଚ୍ଚନା ନାଏକ ,  ପାରମିତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.