Latest Odisha News

BREAKING NEWS

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଆଜି(ଶୁକ୍ରବାର) ଘୋଷଣା ହୋଇପାରେ । ଶିବସେନା ଓ ଏନସିପିର ମିଳିତ ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସ ସମ୍ମତି ପ୍ରଦାନ କରିଥିଲା ।

ଏନେଇ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଶିବସେନା ଓ କଂଗ୍ରେସ ନେତାମାନେ ଭେଟିଛନ୍ତି । ଉଦ୍ଧବ ଠାକରେ ନିଜର ପୁଅ ଆଦିତ୍ୟ ଠାକରେଙ୍କ ସହ ଶରଦ ପାୱାରଙ୍କୁ ଭେଟିଛନ୍ତି ।

ମହାରାଷ୍ଟ୍ରରେ ସରକାର ଗଢ଼ିବା ରାଜନୀତି ଗରମ ହୋଇଯାଇଛି । ବଗତ କିଛି ଦିନରୁ କଂଗ୍ରେସ ଓ ଏନସିପି ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଯାଇଛି । ଉଭୟ ଦଳ ଶିବସେନା ସହ ମେଣ୍ଟ କରି ସରକାର ଗଢ଼ିବାକୁ ରାଜି ହୋଇଯାଇଛନ୍ତି । ଆଜିର ବୈଠକ ପରେ ଔପଚାରିକ ଭାବେ ସରକାର ଗଠନ ନେଇ ଘୋଷଣା ହେବ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ରାଜ୍ୟରେ ସରକାର ଗଢ଼ିବାକୁ ନେଇ ଆଜି ଅପରାହ୍ନରେ ବୈଠକ ବସିବ । ଏହା ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଶେଷ ଘୋଷଣା କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୨ ଟାରେ ମୁମ୍ବାଇ ଠାରେ ପ୍ରଥମ ଥର ପାଇଁ ଏହି ତିନିଦଳର ନେତା ମାନେ ଏକାଠି ବୈଠକ କରିବେ। ଏହାପରେ ଅପରାହ୍ନ ୪ ଟାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ ।

ଏନସିପି ଓ ଶିବସେନା ମଧ୍ୟରେ ବୁଝାମଣା ହୋଇସାରିଛି । ବୁଝାମଣା ଅନୁସାରେ ଉଭୟ ଦଳକୁ ୨.୫ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ସୂତ୍ରରୁ ପ୍ରକାଶ । ମାତ୍ର ଏବେ ସ୍ପଷ୍ଟ ହୋଇ ନାହିଁ ଯେ, କେଉଁ ଦଳକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ମିଳିବ ।

ମାତ୍ର ବିଜେପିକୁ ମହାରାଷ୍ଟ୍ରରେ କ୍ଷମତାରୁ ଦୂରେଇ ରଖିବା ସହିତ କଡ଼ା ଜବାବ ଦେବା ପାଇଁ ମୁମ୍ବାଇରେ ଶିବସେନାକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ମିଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ମନ୍ତ୍ରୀ ପଦକୁ ନେଇ ମଧ୍ୟ ତିନି ଦଳ ଭିତରେ ସହମତି ବନିଥିବା କେତେକ ସୁତ୍ରରୁ ଜଣାପଡ଼ିଛି ।

ମହାରାଷ୍ଟ୍ରରେ ଆଗାମୀ ଦିନରେ ଏକ ସ୍ଥିର ସରକାର ମିଳିବା ନେଇ କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀରାଜ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.