ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ଦୁଇ ମାସ ତଳେ ହିଁ ମହାବିକାଶ ଅଘାଡିକୁ ହରାଇ କ୍ଷମତାକୁ ଆସିଛି ମହାୟୁତି। ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାବିସ। ହେଲେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିବା ଏକନାଥ ସିନ୍ଦେ ବୋଧେ ଉପମୁଖ୍ୟମନ୍ତ୍ରୀ ପଦ ପାଇ ସନ୍ତୁଷ୍ଟ ନାହାନ୍ତି। ଏହାର ପ୍ରତିଫଳନ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଶପଥ ଗ୍ରହଣ ସମାରୋହରେ ସାମାନ୍ୟ ଦେଖା ଯାଉନଥିଲେ ସିନ୍ଦେ। ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ। ଏବେ କୁହାଯାଉଛି, ବିଜେପି କୁଆଡେ ସିନ୍ଦେଙ୍କଠାରୁ ଛୁଟକାରା ଚାହୁଁଛି।
ୟୁବିଟି, ଏମଏନଏସ ନେତାଙ୍କ ସହ ବୈଠକ
ଗତ ସୋମବାର ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଘରେ ପହଞ୍ଚିଥିଲେ ଦେବେନ୍ଦ୍ର ଫଡନାବିସ। ମହାରାଷ୍ଟ୍ର ରାଜନୀତିରେ କୌଣସି ମୁଖ୍ୟମନ୍ତ୍ରୀ ଜଣେ ନେତାଙ୍କ ଘରକୁ ଯିବା ଖୁବ୍ କମ୍ ଦେଖିବାକୁ ମିଳେ। ଖାଲି ସେତିକି ନୁହେଁ ସେହିଦିନ ସଂଧ୍ୟାରେ ଉଦ୍ଧବ ଠାକରେଙ୍କ ଶିବସେନାର 3 ନେତାଙ୍କୁ ସ୍ବାଗତ କରିଥିଲେ ଫଡନାବିସ। ଏହା ଭିତରେ ଚର୍ଚ୍ଚା ହେଉଛି ସିନ୍ଦେ ଫଡନାବିସଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଆଗକୁ ବିଏମସି ନିର୍ବାଚନ ହେବାକୁ ଯାଉଛି। ଶିବସେନା ବିଭାଜନ ହେବା ପୂର୍ବରୁ ବିଏମସି ଦଳର ଗଡ ରହିଥିଲା। ତେବେ ଏହା ପୂର୍ବରୁ ଏମଏନଏସ ଓ .ୟୁବିଟି ନେତାଙ୍କୁ ଭେଟି ଫଡନାବିସ ସିନ୍ଦେଙ୍କୁ ବଡ଼ ସନ୍ଦେଶ ଦେଇଥିବା କୁହାଯାଉଛି।
ସିନ୍ଦେଙ୍କୁ ଘେରିବାକୁ ପ୍ଲାନ୍ !
ଏକନାଥ ସିନ୍ଦେଙ୍କ ସମୟରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ମାଗଣା ତୀର୍ଥଯାତ୍ରା ସୁବିଧା ଦିଆଯାଉଥିଲା। ହେଲେ ଏବେ ଏହି ଯୋଜନା ରୋକି ଦିଆଯାଇଛି। ପର୍ବ ପର୍ବାଣୀ ବେଳେ ଶସ୍ତାରେ ସାମଗ୍ରୀ ବିତରଣ ପାଇଁ ଥିବା ଆନନ୍ଦଚା ସିଦ୍ଧ ଯୋଜନା ବି ବନ୍ଦ ହେବା ଉପରେ। ଏନେଇ ଏପର୍ଯ୍ୟନ୍ତ ସିନ୍ଦେ ନିରବ ରହିଛନ୍ତି। ତେବେ ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର କ୍ୟାବିନେଟ୍ ବୈଠକରେ ଯୋଗ ଦେଇନାହାନ୍ତି। କେବଳ ସେତିକି ନୁହେଁ ପ୍ରାକ୍-ବଜେଟ୍ ଚର୍ଚ୍ଚାରେ ବି ସେ ସାମିଲ ହୋଇନାହାନ୍ତି। ଏଥିରୁ ସିନ୍ଦେଙ୍କ ଅସନ୍ତୋଷ ବାରି ହେଉଥିବା ଚର୍ଚ୍ଚା ହେଉଛି।
ସିଏମ୍ ନହେବା ଦୁଃଖରେ ସିନ୍ଦେ !
ଫଡନବିସ୍ ଓ ସିନ୍ଦେଙ୍କ ମଧ୍ୟରେ ମତଭେଦ ଥିବା ନେଇ କିଛି ଦିନ ପୂର୍ବରୁ ସାମନା ସଂପାଦକୀୟରେ ପ୍ରକାଶ ପାଇଥିଲା। ଏପରିକି ବିଜେପି ସିନ୍ଦେ ଓ ତାଙ୍କ ଦଳର ଲୋକଙ୍କ ଫୋନ୍ ଟାପିଂ କରାଉଥିବା ନେଇ ବି ଅଭିଯୋଗ କରାଯାଇଥିଲା। ସିନ୍ଦେ ଭାଙ୍ଗି ପଡିଥିବା କହିଥିଲା ଉଦ୍ଧବଙ୍କ ଶିବସେନା। ସାମନାରେ ୟୁବିଟିର ଏହି ମନ୍ତବ୍ୟ ବିଶ୍ବାସଯୋଗ୍ୟ ନହୋଇପାରେ। ହେଲେ ନିକଟରେ ସିନ୍ଦେଙ୍କ ବ୍ୟବହାର ତାଙ୍କ ମନର ଅସନ୍ତୋଷକୁ ସୂଚାଉଥିବା କୁହାଯାଉଛି।
ସିନ୍ଦେଙ୍କୁ ସମ୍ମାନିତ କଲେ ପାଓ୍ବାର
ଦିଲ୍ଲୀରେ ୯୮ ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନରେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଏକନାଥ ସିନ୍ଦେଙ୍କୁ ମହାଦଜୀ ରାଷ୍ଟ୍ର ଗୋରବ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଖାଲି ସେତିକି ନୁହେଁ ଏକନାଥ ସିନ୍ଦେଙ୍କ କାର୍ଯ୍ୟକାଳକୁ ବି ପ୍ରଶଂସା କରିଛନ୍ତି ପାଓ୍ବାର। ଏହାକୁ ଶିବେସେନା ୟୁବିଟି ପକ୍ଷରୁ ସମାଲୋଚନା କରାଯାଇଛି। ଏହାକୁ ନେଇ ମହାବିକାଶ ଅଘାଡି ମଧ୍ୟରେ ମତଭେଦ ଦେଖାଦେଇଛି। ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ସହ ଦୃଢତାର ସହ ଠିଆ ହୋଇଥିବା କହିଥିଲେ। ତେବେ ଫଡନାବିସ ଓ ସିନ୍ଦେଙ୍କ ମଧ୍ୟରେ ଦୂରତା, ଅସନ୍ତୋଷ ବଢିଥିବା ଚର୍ଚ୍ଚା ହେଉଛି।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ
Comments are closed.