କଟକ: ବୁଧବାର ହାଇକୋର୍ଟ ଏକ ଛାଡପତ୍ର ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହୋଇକୋର୍ଟ କହିଛନ୍ତି ଯେ, ଶିକ୍ଷିତ ପତ୍ନୀ ରୋଜଗାର ନ କରି ଭରଣପୋଷଣ ଦାବି କରିପାରିବେ ନାହିଁ ।
ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ମାମଲାରେ ରାୟ ଶୁଣାଣି ବେଳେ କହିଥିଲେ ଯେ, ସିଆରପିସି’ର ଧାରା ୧୨୫ ପ୍ରଣୟନ କରିବାରେ ଉଦ୍ଦେଶ୍ୟ ଏବଂ ସେହି ସ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା, ଯେଉଁମାନେ ନିଜକୁ ପ୍ରତିପାଳନ କରିବାକୁ ଅକ୍ଷମ ଏବଂ ସେମାନଙ୍କ ଭରଣପୋଷଣ ପାଇଁ ପର୍ଯ୍ୟାପ୍ତ ଆୟ ନାହିଁ, ହେଲେ ସେମାନଙ୍କୁ ନୁହଁ ଯେଉଁ ସ୍ତ୍ରୀ ମାନେ ଉପଯୁକ୍ତ ଏବଂ ଉଚ୍ଚ ଯୋଗ୍ୟତା ସତ୍ତ୍ୱେ କାମ ନକରି କିମ୍ବା କାମ କରିବାକୁ ଚେଷ୍ଟା ନକରି କେବଳ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବା ପାଇଁ ବେରୋଜଗାର ରୁହନ୍ତି ।
ସୂଚନା ଅନୁଯାୟୀ, ଜଣେ ମହିଳା ଯିଏକି ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିପ୍ଲୋମା ସହିତ ବିଜ୍ଞାନ ସ୍ନାତକ ହାସଲ କରିଛନ୍ତି ହେଲେ ସେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ତାଙ୍କୁ ଭରଣପୋଷଣ ପ୍ରଦାନ ପାଇଁ ପରିବାର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣି କରି ରାଉରକେଲାର ପରିବାର କୋର୍ଟ ସ୍ୱାମୀଙ୍କୁ ଭରଣପୋଷଣ ବଦଳରେ ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସ ୮ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ହେଲେ ସ୍ୱାମୀ ଏହି ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସ୍ୱାମୀଙ୍କ ଆୟକୁ ବିଚାରକୁ ନେବା ସହ ତାଙ୍କ ପରିବାର ତାଙ୍କ ଉପରେ ନିର୍ଭରଶୀଳ ବୋଲି ଦର୍ଶାଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କର ଯୋଗ୍ୟତା ଅଛି ଯେ ସେ କାମ କରି ଜୀବିକା ନିର୍ବାହ କରିପାରିବେ । ଏହି ଘଟଣା ଉପରେ ହାଇକୋର୍ଟ ବିଚାର କରି ପରିବାର କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ଭରଣପୋଷଣ ପରିମାଣକୁ ପ୍ରତିମାସ ୮ ହଜାର ଟଙ୍କାରୁ ୫ ହଜାର ଟଙ୍କାକୁ ହ୍ରାସ କରିଛନ୍ତି ।
Comments are closed.