Latest Odisha News

BREAKING NEWS

ସୁପ୍ରିୟାଙ୍କ ୱାଟସଆପ୍ ଷ୍ଟାଟସକୁ ନେଇ ଚର୍ଚ୍ଚା; ମହାରାଷ୍ଟ୍ର ରାଜନୀତିରେ ପରିବାର ଓ ଦଳରେ ଫାଟ !

ମୁମ୍ବାଇ: ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇଥାଆନ୍ତେ ମୁଖ୍ୟମନ୍ତ୍ରୀ, ମାତ୍ର ସକାଳେ ସବୁ ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ର ଶାସନଗାଦିକୁ ନେଇ ରାତିଅଧରେ ଶିବସେନା-ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ମନ୍ତ୍ରଣା ଏକରକମ ଅକାମି ହୋଇ ଓଲଟା ଫଳାଫଳ ଦେଖିବାକୁ ମିଳିଲା । ଏହି ତିନିଦଳ ରାତିରେ ବିଜେପିକୁ କ୍ଷମତାଠାରୁ ଦୂରରେ ରଖି ସେନା ମୁଖ୍ୟ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ ବୋଲି ରଣନୀତି ପ୍ରସ୍ତୁତି ଏକରକମ ସରିଥିଲା । ରାଜନୀତିର ସମସ୍ତ ଅଙ୍କକଷାକୁ ଭୂଲ୍ ପ୍ରମାଣିତ କରି ଅଚାନକ ସକାଳ ୮ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ସେହିପରି ତାଙ୍କୁ ମନ୍ତ୍ରୀମଣ୍ଡଳ ଗଠନ କରିବାରେ ସହଯୋଗ କରୁଥିବା ଏନସିପିର ବରିଷ୍ଠ ପ୍ରଭାବଶାଳୀ ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରରେ ଏହିପରି ରାଜନୈତିକ ଉଷ୍ମତା ତଥା ଉତଥାନ ପତ୍ତନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏପଟେ ଏନିସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ତଥା ବରିଷ୍ଠ ଏନସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ୱାଟସଆପ ଷ୍ଟାଟସକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ମହାରାଷ୍ଟ୍ର ରାଜନୀତିରେ ଏହିପରି ଅପ୍ରତ୍ୟାଶିତ ପରିବର୍ତ୍ତନକୁ ଲକ୍ଷ୍ୟ କରି ଶରଦ ପାୱାରଙ୍କ ଝିଅ ତାଙ୍କ ପରିବାର ଏବଂ ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନ କରିଛନ୍ତି ।ଗଣମାଧ୍ୟମରେ ପ୍ରକାଶିତ କିଛି ରିପୋର୍ଟ ଅନୁଯାୟୀ ସୁପ୍ରିୟା ତାଙ୍କ ଷ୍ଟାଟସରେ ଲେଖିଛନ୍ତି ଯେ, ଶରଦ ପାୱାରଙ୍କ ଏନସିିପି ଏବଂ ପରିବାର ଭାଙ୍ଗିଗଲା । ସେ ମଧ୍ୟ ତାଙ୍କ ପରିବାର ତଥା ଏନସିପି ନେତାଙ୍କ ଫଟୋ ଅପଲୋଡ଼ କରିଥିବାର ଦେଖାଯାଇଛି ।

ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନସିପି ନେତା ଅଜିତ ପାୱାର ଯଥାକ୍ରମେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏନସିପି ମୁଖ୍ୟ ଶରଦ ପାୱାର ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏନସିପିର ମତ ନୁହେଁ ବରଂ ଅଜିତଙ୍କ ବ୍ୟକ୍ତିଗତ କାର୍ଯ୍ୟ । ବିଜେପିକୁ ଅଜିତ ସମର୍ଥନ କରିବା ଏହା ଦଳର ଶୃଙ୍ଖଳା ବିରୋଧୀ ଏବଂ ଯେଉଁ ବିଧାୟକମାନେ ତାଙ୍କୁ ସମର୍ଥନ କରିଛନ୍ତି ସେମାନେ ବିଧାୟକ ପଦବୀ ହରାଇବେ ବୋଲି ଶରଦ ପାୱାର କହିଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏନସିପି ନେତା ଅଜିତ ପାୱାର ହେଲେ ଶରଦ ପାୱାରଙ୍କ ପୁତୁରା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନସିପି ସହିତ ମେଣ୍ଟ କରି ଶିବସେନା ନେତୃତ୍ୱରେ ଏକ ମିଳିତ ସରକାର ଗଠନ କରିବା ନେଇ ଗ୍ରୀନ୍ ସିଗନାଲ ଦେବା ପରେ ଦିନକ ପରେ ଏହି ତିନିଦଳର ଏକ ମିଳିତ ମେଣ୍ଟ ସରକାର ଗଠିତ ହୋଇଥାଆନ୍ତା । ଏପରିକି ନୂତନ ମନ୍ତ୍ରୀମଣ୍ଡଳରେ ତିନି ଦଳରୁ କେଉଁ ବିଧାୟକ କେଉଁ ମନ୍ତ୍ରୀପଦ ପାଇବେ ସେ ନେଇ କଳ୍ପନାଜଳ୍ପନା ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଜାରି ରହିଥିଲା ।

ସରକାର ଗଠନ ଏବଂ ମନ୍ତ୍ରୀମଣ୍ଡଳ ସମ୍ପର୍କୀତ ଏହି ତିନିଦଳର ବରିଷ୍ଠ ନେତାମାନଙ୍କ୍ୁ ନେଇ ରାତି ୧୨ଟାରେ ବୈଠକ ହେଉଥିବା ବେଳେ ଅଜିତ ପାୱାର ଅଧାରୁ ଉଠି ଚାଲିଆସିଥିବାରେ କିଛି କଂଗେସ ନେତା କହିଛନ୍ତି । ତେବେ ଅଜିତ ଜଣେ ଓକିଲଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ କଥା ହେବାକୁ କହି ଏହି ବୈଠକରୁ ଚାଲିଆସିଥିଲେ ।

ମହାରାଷ୍ଟ୍ରରେ ସମୁଦାୟ ଆସନ ସଂଖ୍ୟା ୨୮୮ । ନିର୍ବାଚନରେ ବିଜେପିକୁ ମିଳିଛି ସର୍ବାଧିକ ୧୦୫ଟି ଆସନ, ଶିବସେନା ୫୬ ଏବଂ ଏନସିପିକୁ ମିଳିଛି ୫୪ଟି ଆସନ । ତେବେ କଂଗେସ ମଧ୍ୟ ୪୪ଟି ଆସନ ଅକ୍ତିଆର କରିଛି । ସେହିପରି ୨୯ ଜଣ ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକ ଅଛନ୍ତି । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି ଯେ, ଅଜିତ ପାୱାରଙ୍କ୍ୁ ଏନସିପିର ୧୫ ବିଧାୟକ ଏବଂ ଜଣ ଅନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକ ସମର୍ଥନ ଦେଉଛନ୍ତି । ତେଣୁ ବିଜେପି ନିକଟରେ ଏବେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଶ୍ରୀ ପାଟିଲ୍ ଦାବି କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ହେଲେ ୧୪୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

Leave A Reply

Your email address will not be published.