ମୁମ୍ବାଇ:ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ମଙ୍ଗଳବାର ମହାରାଷ୍ଟ୍ରର କୋହ୍ଲାପୁରରେ ମୃତ୍ୟୁ ଘଟିଛି । ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ପିଟିଆଇକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୮୯ ବର୍ଷୀୟ ଲେଖକ ତଥା ସାମାଜିକ ରାଜନୀତିକ କର୍ମୀ ଅରୁଣ ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ଆଜି କୋହ୍ଲାପୁରରେ କରାଯିବ ।
୧୯୩୪ ଏପ୍ରିଲ ୧୪ ତାରିଖରେ ଡରବାନରେ ମଣିଲାଲ ଗାନ୍ଧୀ ଏବଂ ସୁଶୀଳା ମଶରୁବାଳାଙ୍କ ପୁଅ ଅରୁଣଙ୍କର ଜନ୍ମ। ଗତ ୨୪ ବର୍ଷ ଧରି ସେ ତାଙ୍କର ନିଜସ୍ୱ ଅବନୀ ସଂସ୍ଥାକୁ ଯାଉଥିଲେ । ଅବନି ସଂସ୍ଥା ଯୁବତୀ, ମହିଳା ବିଶେଷକରି ଅସହାୟ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ କାମ କରେ । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ପରେ ସୁସ୍ଥ ହୋଇ ପୁଣି ସେ ଅବନି ସଂସ୍ଥାକୁ ଫେରି ଆସିଥିଲେ । ହେଲେ ଡାକ୍ତର ତାଙ୍କୁ ଯାତ୍ରା ପାଇଁ ମନା କରିଥିଲେ । ସୋମବାର ସନ୍ଧ୍ୟାରେ ଅବନି ସଂସ୍ଥାରେ ମହାରାଷ୍ଟ୍ର ଦିବସ ପାଳନ ହେଉଥିଲା । ଏହି ଅବସରରେ ଅରୁଣ ଗାନ୍ଧୀ ଅଭିଭାଷଣ ଦେଇଥିଲେ ।
ଏହାପରେ ଶ୍ରୀ ଗାନ୍ଧୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲେଖାଲେଖି କରୁଥିଲେ । ପରେ ଶୋଇବାକୁ ଯାଇଥିଲେ । ହେଲେ ସକାଳୁ ତାଙ୍କୁ ବିଛଣାରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସଂସ୍ଥାର ସଞ୍ଚାଳିକା ଅନୁରାଧା ଭୋଁସଲେ କହିଛନ୍ତି, ଅରୁଣ ଗାନ୍ଧୀଙ୍କ ସହ ତାଙ୍କର ଗତ ଅଢେଇ ଦଶକ ଧରି ସମ୍ପର୍କ ରହିଛି । ସେ ମହାତ୍ମାଗାନ୍ଧୀଙ୍କ ସ୍ମୃତିକୁ ନେଇ ଏକ ସଂଗ୍ରହାଳୟ କରିବାକୁ ଚାହୁଁଥିଲେ । ତାଙ୍କର ଅନେକ ଚିତ୍ର ସେ ସଂରକ୍ଷିତ କରି ରଖିଛନ୍ତି । ଅରୁଣ ତାଙ୍କର ଜୀବନର ୨ ବର୍ଷ ମହାତ୍ମା ଗାନ୍ଧୀଙ୍କ ସହ ରହିବାର ସୌଭାଗ୍ୟ ଅର୍ଜନ କରିଥିଲେ ।
Comments are closed.