Latest Odisha News

BREAKING NEWS

ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ । ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିବାକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ । ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ । ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ମେ ୧୧ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ପ୍ରସ୍ତୁତ ଆଗୁଆ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ସବୁ ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ବାତ୍ୟା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ୱତନ୍ତ୍ର ରିଲିଫ୍ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ବେଶୀ ହୋଇଥାଏ । ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ଜିରୋ କାଜୁଆଲ୍‌ଟି ନୀତି ଅବଲମ୍ବନ କରି ସଫଳତା ପାଇଛୁ । ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି ଏବଂ ସବୁ ସଂପୃକ୍ତ ବିଭାଗ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ। ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।

ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି, ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍‌ ପ୍ରସ୍ତୁତ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉଛି । ୧୭ଟି NDRF ଓ ୨୦ଟି ODRAF ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଉନ୍ନୟନ କମିଶନର (ଜଳସଂପଦ) ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ  ସଂଜୟ ସିଂ, କୃଷି ବିଭାଗ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

Leave A Reply

Your email address will not be published.