ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ମହେଶ୍ୱରଙ୍କ ବିରୋଧ

ଭୁବନେଶ୍ୱର: ମୁମ୍ବାଇରେ ଅଦିନିଆ ରଥଯାତ୍ରା ନେଇ ବଢ଼ୁଛି ଅସନ୍ତୋଷ । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତ ଯେ, ଇସ୍କନକୁ ତାଗିଦ କରିବାର ସମୟ ଆସିଛି । ଏହି ଅଦିନିଆ ରଥଯାତ୍ରାକୁ ଆମେ ଏବଂ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଉଚିତ । ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଏନେଇ ତାଗିଦ କରିବା କଥା । ଏହି ପରାମର୍ଶ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଦେବୁ ବୋଲି କହିଛନ୍ତି ମହେଶ୍ୱର ମହାନ୍ତି । ସେପଟେ ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ସରକାରଙ୍କ ଜ୍ଞାତ ସାରରେ ଅଛି । ଜଗନ୍ନାଥ ସଂସ୍କୃତି ପ୍ରତି କୁଠାର ଘାତ ଲାଗିଛି । ତେବେ ବାହାର ରାଜ୍ୟ ଓ ବାହାର ଦେଶରେ ସରକାର ଆଇନ ଭିତରେ ବନ୍ଧା ନାହାନ୍ତି । ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।ଗତ ସପ୍ତାହରେ ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା । ଇସ୍କନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରଥଯାତ୍ରାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହା ଶ୍ରୀମନ୍ଦିର ବିଧି ପରମ୍ପରା ବିରୋଧୀ ହୋଇଥିବାରୁ ଏହାକୁ ନେଇ ଚାରୁଆଡୁ ବିବାଦ ଉପୁଜିଥିଲା ।