ଭଦ୍ରକ: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କ ପୀଠ ଭକ୍ତମୟ ହୋଇ ଉଠିଛି । ବିଶେଷକରି ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ପୀଠ।
ମନ୍ଦିରର ରୀତିନୀତି ଅନୁଯାୟୀ ଜାଗର ନୀତିକାନ୍ତି ନିମନ୍ତେ ଭୋର ୪ାଟାରେ ଦ୍ୱାର ଫିଟା ହେବା ପରେ ମଙ୍ଗଳ ଆଳତୀ କରାଯିବା ସହିତ କନିକା ରାଜାଙ୍କ ପକ୍ଷରୁ ପହିଲୁ ଘର୍ଷଣ ଭୋଗ ବଡପଣ୍ଡାଙ୍କ ଦ୍ୱାରା ଲାଗି କରାଯାଇଥିଲା।
ଏହାପରେ ସକାଳ ୫ଟାରେ ବାବାଙ୍କୁ ଦିଗମ୍ବର ବେଶରେ ସଜିତ କରାଯାଇ ପାଳିଆ ସେବାୟତଙ୍କ ପକ୍ଷରୁ ଘର୍ଷଣ ଭୋଗ ସହ ଖେଚୁଡି ଅନ୍ନ(ବଢାଭାତ) ଲାଗି କରାଯାଇଛି।
ସକାଳ ୫ଟା୩୦ରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି । ଏହି ବ୍ୟାରିକେଟ ମଧ୍ୟରେ ଭକ୍ତମାନେ ମନ୍ଦିର ଭିତର ବେଢାକୁ ଯାଇ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ଓ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି କରିପାରିବେ।
ତାହାସହ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଜାଗର ନୀତି ନିମନ୍ତେ ଚାରି ପ୍ରହର ପୂଜାର୍ଚ୍ଚନାରେ ସୁବାଷିତ ଜଳ ସହ କ୍ଷିର-ମହୁ ଆଦି ସର୍କରାରେ ମିଶ୍ରିତ ଘର୍ଷଣ, ରୁଦ୍ରାଭିଷେକ, ଜଳାଭିଷେକ, ପଞ୍ଚଉପଚାର ପୂଜା, ଦ୍ୱାରପାଳ ପୂଜା, ପାର୍ଶ୍ବ ଦେବତା ପୂଜା ଆଦି ସରିବା ପରେ ରାତ୍ର ୧ଟାରେ ସୁନାବେଶ ଓ ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ଲକ୍ଷାଧିକ ମାନସିକଧାରୀ ଭକ୍ତ ପୀଠରେ ଉଜାଗର ରହି ଜାଗର ଦୀପ ମନ୍ଦିର ସମ୍ମୁଖରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଚତୁପାର୍ଶ୍ବରେ ଜାଳିବେ। ଲକ୍ଷାଧିକ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଜଳପଥରେ ଆସୁଥିବା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
Comments are closed.