Latest Odisha News

BREAKING NEWS

ଭାଷା ଭାଗବତ : ଅଂଡାଳ ନିଜ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ବିଦ୍ୟମାନ ଓ ଅଂତର୍ଧାନ
ପରମେଶ୍ବରଂକର ଗୁଣ
ନ କରି ଅନ୍ୟତ୍ର ସଂଧାନ
ଆଗ ଅଂଡାଳ ନିଜ ମନ

ସବୁଠି ଉପସ୍ଥିତ ରହି
କାହାକୁ କିଛି ବି ନ କହି
କରାଂତି ନିଜ ସବୁ କାର୍ଯ
ସିଏ ତ ସର୍ବଦା ସ୍ବୀକାର୍ଯ

ସେ ଯେଣୁ ଅନଂତ ପ୍ରେରଣା
ହୁଅଂତି ଜଣା ଓ ଅଜଣା
ଅତି ଅଧିକ କୌତୂହଳ
ବ୍ୟକ୍ତିକୁ କରଇ ଦୁର୍ବଳ

ତାଂକର ଦର୍ଶନାଭିଳାଷୀ
ତାଂକ ଘରକୁ ଧସି ପଶି
ଅଯଥା କରଂତି ଗହଳି
ପରସ୍ପର ସହିତ କଳି

ବସ୍ତୁତ୍ବ ନ ଥାଇ ବାସ୍ତବ
ହେବା ନୁହଇ ଅସଂଭବ
ଚିହ୍ନିଲେ ମନର ଭାବନା
କରିହେବନି କେବେ ମନା

ଭାବନା ସ୍ତରରେ ଈଶ୍ବର
ତତ୍କାଳ ଅନୁଭବ କର
ମିଳିବ ଈଶ୍ବରାନୁଭୂତି
ସହିତ ଅସାମାନ୍ୟ ତୃପ୍ତି

ଏହି ତୃପ୍ତି ପାଇବା ପାଇଁ
ସାମଗ୍ରୀ ଲୋଡ଼ା ପଡ଼େନାହିଁ
ଏକାକୀ ମନନ ଓ ଧ୍ୟାନ
କରିବା ଅଟେ ସମୀଚୀନ

ଯେଉଁଠି ଥାଂତି ଭକ୍ତଜନ
ସେଠାରେ ଭକ୍ତି ଅବସ୍ଥାନ
କରିବା ଯେଣୁ ସୁନିଶ୍ଚିତ
ହେବାନି ମିଛେ ନୀତିଚ୍ୟୁତ

କାହାର ପଛୁଆଳ ହୋଇ
କାହାକୁ କିଛି ମିଳେନାହିଁ
ନିଜକୁ କରିଲେ ବିଶ୍ବାସ
ମିଳଇ ଅନନ୍ୟ ଉଲ୍ଲାସ

ଉତ୍ପନ୍ନ କଲେ ତୀବ୍ର ଧ୍ବନି
ହୁଏ ଧ୍ୟାନର ଧୈର୍ଯ ହାନି
ପୂଜନ ହୁଏ ଅଭିନୟ
ଘଟେ ଧର୍ମର ଅବକ୍ଷୟ

Leave A Reply

Your email address will not be published.