Latest Odisha News

ଜନ୍ମବେଦୀରୁ ରତ୍ନବେଦୀ ବାହୁଡ଼ିଲେ ମହାପ୍ରଭୁ: ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆରମ୍ଭ ହୋଇଛି ମହାପ୍ରଭୂଙ୍କ ବାହୁଡା଼ ରଥ ଟଣା। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ସବୁ ନୀତି ନିର୍ଘଣ୍ଟ ହୋଇ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତ ଉତ୍ସାହର ସହ ରଥକୁ ଟାଣି ଶରଧାବାଲିରୁ ଶ୍ରୀମନ୍ଦିର ସମ୍ମୁଖକୁ ନେଉଛନ୍ତି ଭକ୍ତ।

ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହେବ। ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜୀଉଙ୍କ ରଥ ଟଣା ଆରମ୍ଭ ହୋଇଛି। ଏହା ପୂର୍ବରୁ ପହଣ୍ଡି, ଛେରା ପହଁରା ଏବଂ ଅନ୍ୟ ସମସ୍ତ ନୀତିକାନ୍ତି ସରିଥିଲା। ଏହାପରେ ଚାରମାଳ କଢ଼ାଯାଇ ଘୋଡ଼ା ଲଗାଯିବା ପରେ ପ୍ରଥମେ ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥ ଟଣା ହୋଇଛି।

ଭକ୍ତମାନେ ଉତ୍ସାହର ସହ ରଥ ଟାଣି ନେଉଛନ୍ତି। ରଥ ଉପରେ ସମସ୍ତ ନୀତିକାର୍ଯ୍ୟ ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି। ହରିବୋଲ, ହୁଳହୁଳିରେ ଶରଧାବାଲି କମ୍ପି ଉଠୁଛି। ଭଜନ, କୀର୍ତ୍ତନ, ଓଡ଼ିଶୀ, ମାହାରୀ ନୃତ୍ୟରେ ଶରଧାବାଲି ଅତ୍ୟନ୍ତ ଆକର୍ଷଣୀୟ ହୋଇପଡ଼ୁଛି। ଶରଧାବାଲି ସାରା ଜଗନ୍ନାଥମୟ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳୁ ସମସ୍ତ ନୀତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି।

Comments are closed.