ନୂଆଦିଲ୍ଲୀ: ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର? ସୋସିଆଲ ମିଡିଆରେ ଆପଣଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଭ୍ୟୁ ମିଳୁଛି? ତେବେ ଆପଣଙ୍କ ପାଇଁ ଆସିଛି ଏକ ନୂଆ ସୁଯୋଗ। ଏଣିକି ଆପଣ ରିଲ୍ସ ଏବଂ ଭିଡିଓ ଅଯୋଥା କରିବା ଦରକାର ନାହିଁ । ଆପଣଙ୍କ ରିଲ୍ସ ଏବଂ ଭିଡିଓ ପାଇଁ ସରକାର ଦେବେ ଆପଣଙ୍କୁ ଟଙ୍କା । ସରକାରୀ ଯୋଜନା ଉପରେ ରିଲ୍ ଓ ଛୋଟ ଭିଡିଓ କରି ଭଲ ଭ୍ୟୁ ଆଣିଲେ ମିଳିପାରେ ମୋଟା ଅଙ୍କର ପେମେଣ୍ଟ। ବିହାର ସରକାର କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ସୋସିଆଲ ମିଡିଆ ପଲିସିରେ ବଡ଼ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି।
ନୂଆ ବ୍ୟବସ୍ଥା ଅନୁସାରେ, ବିହାର ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମ, ବିକାଶମୂଳକ କାମ ଓ ସରକାରୀ ଉପଲବ୍ଧିକୁ ନେଇ ଭିଡିଓ ପ୍ରସ୍ତୁତ କରୁଥିବା ଯୋଗ୍ୟ କ୍ରିଏଟରଙ୍କୁ ଭ୍ୟୁ ଆଧାରରେ ପେମେଣ୍ଟ ଦିଆଯାଇପାରିବ। ବିହାର ସରକାର କଣ୍ଟେଣ୍ଟ କ୍ରିଏଟରଙ୍କୁ ସେମାନଙ୍କ ରିଲ୍ସର ଭ୍ୟୁ ହିସାବରେ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଯେତେ ଅଧିକ ଦର୍ଶକ ରିଲ୍ ଦେଖିବେ, ସେତେ ଅଧିକ ଆୟ ହେବ । ୧୦ ଲକ୍ଷ ଭ୍ୟୁ ହେଲେ, ୧ ଲକ୍ଷ ଟଙ୍କା ମିଳିବ । ୩୦ ଦିନରେ ୧ ଲକ୍ଷ ଭ୍ୟୁ ଆସିଲେ, ୧୦ ହଜାର ଟଙ୍କା ମିଳିବ । ଏପରିକି ଭିଡିଓର ଭ୍ୟୁ ୧୦ ଲକ୍ଷରୁ ଅଧିକ ହେଲେ ମଧ୍ୟ ଗୋଟିଏ ଭିଡିଓ ପାଇଁ ପେମେଣ୍ଟର ସର୍ବାଧିକ ସୀମା ୧ ଲକ୍ଷ ଟଙ୍କା ରହିବ। ତେବେ ଏହି ରିଲ୍ ବିହାର ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ହେବା ଜରୁରି । କେଉଁ କଣ୍ଟେଣ୍ଟ କ୍ରିଏଟର ଏଥିପାଇଁ ଯୋଗ୍ୟ ହେବେ, ସରକାର ତା’ର ସବିଶେଷ ତଥ୍ୟ ଖୁବ୍ଶୀଘ୍ର ସାର୍ବଜନୀନ କରିବେ । ଯାହା ଦ୍ବାରା ଏଣିକି ସରକାରୀ ସୂଚନା ମଧ୍ୟ ରିଲ୍ରେ ମିଳିବ ।
ତେବେ ଏଠାରେ ଏକ ବଡ଼ ସର୍ତ୍ତ ରହିଛି। କେବଳ ଭିଡିଓ ଭାଇରାଲ୍ ହେଲେ ଟଙ୍କା ମିଳିବ ନାହିଁ। କ୍ରିଏଟରଙ୍କୁ ବିହାର ସରକାରଙ୍କ ଇନଫର୍ମେସନ୍ ଆଣ୍ଡ ପବ୍ଲିକ୍ ରିଲେସନ୍ସ ବିଭାଗ, ଅର୍ଥାତ୍ IPRD ମାଧ୍ୟମରେ ଏମ୍ପାନେଲ୍ ହେବାକୁ ପଡ଼ିବ। ସରକାରଙ୍କ ନିର୍ଦ୍ଧାରିତ ଯୋଗ୍ୟତା, ପ୍ଲାଟଫର୍ମ, କଣ୍ଟେଣ୍ଟର ମାନ ଓ ଅନ୍ୟାନ୍ୟ ନିୟମ ପାଳନ କରିବାକୁ ହେବ।
ଭିଡିଓ ଆବଶ୍ୟକ ଭ୍ୟୁ ହାସଲ କରିବା ପରେ ମଧ୍ୟ ତୁରନ୍ତ ପେମେଣ୍ଟ ମିଳିବ ନାହିଁ। ସରକାରୀ ଅଧିକାରୀମାନେ ଭିଡିଓ ଏବଂ ଏହାର ଭ୍ୟୁକୁ ଯାଞ୍ଚ କରିବା ପରେ ଚୂଡ଼ାନ୍ତ ପେମେଣ୍ଟ ନିର୍ଦ୍ଧାରଣ କରିବେ। ତେବେ ଏନେଇ ସରକାରଙ୍କ କହିବା କଥା ହେଉଛି, ପୂର୍ବରୁ ଟିଭି, ଖବରକାଗଜ ମାଧ୍ୟମରେ ସରକାରଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ଏବେ ଏହି ପଦକ୍ଷେପ ୱେବସାଇଟ୍ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ସରକାରୀ ଯୋଜନାର ସୂଚନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବ।

