Latest Odisha News

ମେକ୍ ଇନ୍ ଓଡ଼ିଶାର ପରିବର୍ତ୍ତିତ ନାମ ଉତ୍କଳ ନିବେଶକ ସମ୍ମିଳନୀ!

ଭୁବନେଶ୍ୱର: ରାଜ୍ୟର ବ୍ୟବସାୟିକ ସାମର୍ଥ୍ୟ ଓ ଉତ୍ପାଦନ ଦକ୍ଷତାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରୁଥିବା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭକୁ ଉତ୍କଳ ନିବେଶକ ସମ୍ମିଳନୀ ବା ଉତ୍କଳ ଇନଭେଷ୍ଟର୍ସ କନକ୍ଲେଭ୍ ନାମରେ ନାମିତ କରାଯିବାର ସମ୍ଭାବନା ରହିଛି।

ସିଆଇଆଇର ତୃତୀୟ ପରିଷଦ ବୈଠକ ପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି ଯେ ଉତ୍କଳ ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ୨.୫ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ସହ ୨ ନିୟୁତ ଡଲାରର ଏଫଡିଆଇ ପ୍ରବାହ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

୨୦୨୭ ସୁଦ୍ଧା ରାଉରକେଲା-ସମ୍ବଲପୁର-ଧାମରା-ପାରାଦୀପ-ବାଲେଶ୍ୱରର ଶିଳ୍ପ କରିଡରକୁ ଆହୁରି ବିକଶିତ କରାଯିବ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ରହିଛି ଏବଂ ଏହାର ଏକ ବିଶାଳ ଉପକୂଳ ରହିଛି। ସିଆଇଆଇ ସହ ମିଶି ସରକାର ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବେ।

୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଅନୁଷ୍ଠିତ ଦ୍ୱିବାର୍ଷିକ ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ରାଜ୍ୟକୁ ୭୪୧ଟି କଂପାନିରୁ ୧୦,୩୭,୭୦୧ ନିଯୁକ୍ତି ସମ୍ଭାବନା ସହିତ ୧୦.୫ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା।

ଏଥିରେ ଶିଳ୍ପ ନୀତି ସଂକଳ୍ପ ୨୦୨୨ର ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ଓଡ଼ିଶାକୁ ଦେଶ ତଥା ବିଶ୍ୱସ୍ତରରେ ଶିଳ୍ପ ଉଦ୍ୟୋଗମାନଙ୍କ ପାଇଁ ପସନ୍ଦର ଗନ୍ତବ୍ୟସ୍ଥଳରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ଇସ୍ପାତ ଏବଂ ଆଲୁମିନିୟମ ପ୍ରକଳ୍ପରେ ବଡ଼ ପୁଞ୍ଜିନିବେଶ ଆକୃଷ୍ଟ କରିଛି ଏବଂ ଦଶନ୍ଧି ଶେଷ ସୁଦ୍ଧା ଏହି କ୍ଷେତ୍ରଗୁଡ଼ିକରେ ବିଶ୍ୱ ସ୍ତରୀୟ ହବ୍ ଭାବେ ଉଭା ହେବ। ପ୍ରଥମ କନକ୍ଲେଭ ନଭେମ୍ବର ୨୦୧୬ରେ ଆୟୋଜନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ମେକ୍ ଇନ୍ ଇଣ୍ଡିଆ ନାମକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର କାର୍ଯ୍ୟକ୍ରମର ଅର୍ଥ ଗୋଟିଏ ମଞ୍ଚରେ ନିବେଶକମାନେ ଆସିବେ। ଆଉ କହିବେ କେତେ ବିନିଯୋଗ କରିବେ, କେତେ ନିଯୁକ୍ତି ଦେବେ। ଏହାପରେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ। ଆଉ ଓଡିଶାରେ ବିଜେଡି ସରକାର ଏହାର ନାମ ରଖିଥିଲେ ମେକ୍ ଇନ୍ ଓଡ଼ିଶା।

Leave A Reply

Your email address will not be published.