Latest Odisha News

BREAKING NEWS

ଭାରତୀୟ ପର୍ଯ୍ୟଟକଙ୍କୁ ବଡ଼ ଝଟକା: ଜାନୁଆରୀ ୧, ୨୦୨୭ରୁ ମାଲେସିଆରେ ଶେଷ ହେବ ଭିସା-ମୁକ୍ତ ପ୍ରବେଶ

କୁଆଲାଲମ୍ପୁର: ନୂଆବର୍ଷ ୨୦୨୭ରେ ମାଲେସିଆ ଭ୍ରମଣ ପାଇଁ ଯୋଜନା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଆସନ୍ତା ଜାନୁଆରୀ ୧, ୨୦୨୭ରୁ ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ମାଲେସିଆ ସରକାର (Visa-Free Entry) ସୁବିଧାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାଲେସିଆ ଇମିଗ୍ରେସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୩୧, ୨୦୨୬ ପରେ ବିନା ଭିସାରେ ମାଲେସିଆ ଯାତ୍ରା କରାଯାଇପାରିବ ନାହିଁ।

ନୂଆ ନିୟମ ଲାଗୁ ହେବା ପୂର୍ବରୁ ଯାତ୍ରୀମାନଙ୍କ ସୁବିଧା ପାଇଁ ଆସନ୍ତା ଡିସେମ୍ବର ୧, ୨୦୨୬ରୁ ଅନଲାଇନ୍ ଭିସା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ଭାରତୀୟ ଯାତ୍ରୀମାନେ ସରକାରୀ ‘MyVISA’ ପୋର୍ଟାଲ ମାଧ୍ୟମରେ ଇ-ଭିସା ପାଇଁ ଆବେଦନ କରିପାରିବେ। ଜାନୁଆରୀ ୧ କିମ୍ବା ତା’ପରେ ମାଲେସିଆରେ ପହଞ୍ଚିବାକୁ ଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଯାତ୍ରା ପୂର୍ବରୁ ବୈଧ ଭିସା ହାସଲ କରିବା ବାଧ୍ୟତାମୂଳକ କରାଯାଇଛି।

ଇମିଗ୍ରେସନ ବିଭାଗ ପକ୍ଷରୁ ଭିସା ଆବେଦନ ନିୟମରେ ମଧ୍ୟ କେତେକ କଠୋର ପରିବର୍ତ୍ତନ କରାଯାଇଛି। ଯଦି କୌଣସି ଆବେଦନ ‘ନୂଆ ଆବେଦନ’ କିମ୍ବା ‘ପେମେଣ୍ଟ ପେଣ୍ଡିଂ’ ସ୍ଥିତିରେ ୭ କାର୍ଯ୍ୟଦିବସରୁ ଅଧିକ ସମୟ ପଡ଼ି ରହେ, ତେବେ ତାହା ଆପେଆପେ ରଦ୍ଦ ହୋଇଯିବ। ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ପୁଣିଥରେ ନୂଆ ଫର୍ମ ପୂରଣ କରିବାକୁ ପଡ଼ିବ। ଏହା ସହିତ ଭିସା ପ୍ରୋସେସିଂ ଫି’ ସମ୍ପୂର୍ଣ୍ଣ ଭାବେ ଅଣ-ଫେରସ୍ତଯୋଗ୍ୟ ରହିବ। ଅର୍ଥାତ୍ ଭିସା ଆବେଦନ ମଞ୍ଜୁର ହେଉ କିମ୍ବା ଖାରଜ ହେଉ, କିମ୍ବା ଯାତ୍ରା ଯୋଜନାରେ କୌଣସି ପରିବର୍ତ୍ତନ ହେଲେ ମଧ୍ୟ ଜମା ହୋଇଥିବା ଅର୍ଥ ଫେରସ୍ତ ମିଳିବ ନାହିଁ।

ଏହା ବ୍ୟତୀତ, ବିଦେଶୀ ଯାତ୍ରୀମାନଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ରହଣି ସମୟ ପାଇଁ ଟ୍ରାଭେଲ୍ ମେଡିକାଲ୍ ଇନସ୍ୟୁରାନ୍ସ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦୨୩ରୁ ଭାରତୀୟ ପର୍ଯ୍ୟଟକଙ୍କୁ ୩୦ ଦିନିଆ ଭିସା-ମୁକ୍ତ ପ୍ରବେଶ ସୁବିଧା ମିଳୁଥିଲା। କିନ୍ତୁ ପର୍ଯ୍ୟଟନ ଭିସାର ଅପବ୍ୟବହାର ଏବଂ ନିୟମାବଳୀରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ମାଲେସିଆ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.