ମାଲକାନଗିରି: ଗତକାଲି ୧୭୭ ବିଏସ୍ଏଫ୍ ବାଟାଲିୟନ ତରଫରୁ ଯବାନମାନେ ମାଲକାନଗିରିର ଯଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଆରିଲିପଡ଼ା ଏବଂ ଟାବର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏକ ମାଓ ଡମ୍ପ ଉଦ୍ଧାର କରିଥିଲେ।
ଏହି ଡମ୍ପରୁ ୫୬ଟି ଜିଲୋଟିନ , ୧୩ଟି ବିଦ୍ୟୁତ ଡିଟୋନେଟର, ଗୋଟିଏ ବ୍ୟାଣ୍ଡଲ କୋଡେକ୍ସ ବିଦ୍ୟୁତ ତାର, ବ୍ୟାଟେରି, ମାଓ ପୁସ୍ତକ, ଡାଏରି, ସିଡି ଇତ୍ୟାଦି ଜବତ କରିଛି। ଏହି ଅଞ୍ଚଳ ଏକ ଜଣାଶୁଣା ମାଓବାଦୀ ଗଡ଼ ଭାବେ ବେଶ ପରିଚିତ । ସେଠାରେ ମାଓବାଦୀ କ୍ୟାଡର ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ନିଜର ଆଶ୍ରୟ ଏବଂ ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରୁଥିଲେ। ନକ୍ସଲ ସଂଗଠନ ପକ୍ଷରୁ ଏହି ଅଞ୍ଚଳର ସ୍ଥାନେ ସ୍ଥାନେ ଲ୍ୟାଣ୍ଡମାଇନ ଖଞ୍ଜିଥିବା ସୂଚନା ମିଳିଛି।
ବିଏସଏଫ ସୂଚନା ଅନୁସାରେ, ମାଓବାଦୀମାନେ ଡମ୍ପ କରି ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଲୁଚାଇ ରଖିଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏପରି ହୋଇଥିବା ଜାଣିବାକୁ ମିଳିଛି। ମାଓବାଦୀ ଡମ୍ପ ଉଦ୍ଧାର ପରେ ଏହି ଅଞ୍ଚଳରେ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି। ବିଏସ୍ଏଫ୍ ପକ୍ଷରୁ ଏହି ଅଞ୍ଚଳରେ ନକ୍ସଲ ଅପରେସନକୁ ଆହୁରି ତୀବ୍ରତର କରାଯାଇଛି।
Comments are closed.